କନକ ବ୍ୟୁରୋ: ପୁଷ ମାସର ଅଦିନିଆ ବର୍ଷା ଉଜାଡିଦେଲା ସୁନାର ଫସଲ । ଜମିରେ ଧାନ ଭାସୁଥିବା ଦେଖି ଚାଷୀର ଛାତି ଫାଟିଯାଇଛି । ଆଉ ବିଚଳିତ ହୋଇ ଦୁଇଜଣ ଚାଷୀ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । କେନ୍ଦ୍ରପଡା ଓ ଗଞ୍ଜାମରୁ ଆସିଛି ଦୁଇ ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ଖବର ।

Advertisment
  • ବର୍ଷା ଖାଇଦେଲା ସୁନାର ଫସଲ
  • ଚାଲିଗଲା ୨ ଚାଷୀଙ୍କ ଜୀବନ!

ଦୁଇ ଦିନର ଲଗାଣବର୍ଷା ଉଜାଡିଦେଲା ଧାନ ଫସଲ । ବିଲରେ ଗଜା ଧାନ ଦେଖି ଚାଷୀର ଆଖିରେ ଲୁହ ଆସିଯାଇଛି । ଆଉ ଉଜୁଡା ଚାଷ ଯୋଗଁ କେନ୍ଦ୍ରପଡା ଓ ଗଞ୍ଜାମରୁ ଆସିଛି ଦୁଇ ଦୁଇ ଜଣ ଚାଷୀଙ୍କ ମୃତ୍ୟୁର ଖବର ।

  • ପାଣିରେ ଭାସିଲା ଧାନ
  • ପାଇଖାନାରେ ଝୁଲିପଡିଲେ ଚାଷୀ

ଗଞ୍ଜାମ ଛତ୍ରପୁର ବ୍ଲକ ବରଙ୍ଗ ଗାଁରୁ ଆସିଛି ଏଭଳି ହୃହୟ ବିଦାରକ ଘଟଣା । ବର୍ଷାରେ ଧାନ ନଷ୍ଟ ହୋଇଯିବା ପରେ କଷ୍ଟ ସହିପାରିଲେନି । ଆଉ ଘରକୁ ଆସି ଶୌଚାଳୟରେ ଝୁଲିପଡିଲେ ଭାଗଚାଷୀ ବନମାଳୀ ପେଣ୍ଠେଇ । ବନମାଳୀ ୨୫ ଏକର ଜମିରେ ଧାନ ଚାଷ କରିଥିଲେ । ଏଥିପାଇଁ ୨ ଲକ୍ଷ ଟଙ୍କା କରଜ ବି ଆଣିଥିଲେ । କିନ୍ତୁ ପାଣିରେ ଧାନ ଭାସୁଥିବାର ଦେଖି ବିଚଳିତ ହୋଇପଡିଥିଲେ । ଆଉ ଧାନବିଲରୁ ସିଧା ଘରକୁ ଆସି ପାଇଖାନାରେ ଝୁଲପଡିଥିଲେ । ଛତ୍ରପୁରରୁ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଛନ୍ତି । 

  • ପରିଶ୍ରମ ଗଲା, ବିଲରେ ଲହଡି ଭାଙ୍ଗିଲା ପାଣି
  • ଧାନବିଲ ଦେଖି ଟଳିପଡିଲେ ଚାଷୀ

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ସନ୍ଥପୁରା ଗାଁର ୫୨ବର୍ଷିୟ ଭାବଗ୍ରାହୀ ମଳିକ ନିଜ ଚାଷଜମିରେ ଉଜୁଡା ଚାଷ ଦେଖି ଟଳିପଡିଛନ୍ତି । ଲକ୍ଷାଧିକ ଟଙ୍କା କରଜ କରି ଭାବଗ୍ରାହୀ ଧାନଚାଷ କରିଥିଲେ । କିନ୍ତୁ ଦାଉ ସାଧିଲା ବର୍ଷା । ଧାନବିଲରେ ପାଣି ଲହଡି ଭାଙ୍ଗିଲା । ଆଉ ଧାନ ଗଜା ହୋଇଯାଇଥିଲା । ମାନସିକ ଚାପ ଗ୍ରସ୍ତ ହୋଇ ଭାବଗ୍ରାହୀ  ଘରକୁ ଆସି ଟଳପଡିଥିଲେ । ମେଡିକାଲରେ ମୃତ ଘୋଷଣା କରିଥିଲେ ଡାକ୍ତର । ଏବେ ଭାବଗ୍ରାହୀଙ୍କ ମୃତ୍ୟୁ ପରେ ପରିବାରରେ ଚଡକ ପଡିଛି । 

ତେବେ ମଙ୍ଗଳବାର ଦିନ ପୁରୀ ସତ୍ୟବାଦୀ ବିରାମଚନ୍ଦ୍ରପୁରର ପୂର୍ଣ୍ଣଚନ୍ଦ୍ର ଦଳେଇ ଚାଷଜମିରେ ଟଳିପଡିଥିଲେ।  ଏଥିସହ ସାରା ରାଜ୍ୟରେ ହଜାର ହଜାର ହେକ୍ଟର ଜମିର ଫସଲ ନଷ୍ଟ ହେବା ଯୋଗୁଁ ଚାଷୀଙ୍କ ଅଣ୍ଟା ଭାଙ୍ଗି  ଯାଇଛି।