କନକବ୍ୟୁରୋ : ବଜ୍ରାଘାତ ଶିକାର ହୋଇ ଚାଷୀଙ୍କ ମୃତ୍ୟୁ । ଗତକାଲି ଚାଷଜମିକୁ ଯାଇଥିବାବେଳେ ଚାଷୀ ଜଣଙ୍କ ବଜ୍ରାଘାତର ଶିକାର ହୋଇଥିଲେ । ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଆମ୍ବଗଡିଆ ଗାଁର ଚାଷୀ ଇଶ୍ୱର ବେସ୍ରା ଗତକାଲି ସନ୍ଧ୍ୟାରେ ନିଜ ଚାଷଜମିକୁ ଯାଇଥିବାବେଳେ ବଜ୍ରାଘାତରେ ଶିକାର ହୋଇ ଗୁରୁତର ହୋଇଥିଲେ । ବାରିପଦା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି । ଗତକାଲି ଇଶ୍ବର ଦିନ ତମାମ ତାଙ୍କ ଧାନ ବିଲରେ କାମ କରୁଥିଲେ । ଅପରାହ୍ନରେ ହଠାତ୍ ବିଜୁଳି ଘଡ଼ଘଡ଼ି ମାରି ମୁଷଳ ଧାରାରେ ବର୍ଷା ହୋଇଥିଲା । ସେହି ସମୟରେ ଈଶ୍ୱର ବଜ୍ରାଘାତର ଶିକାର ହୋଇ ଗୁରୁତର ହୋଇ ପଡିଥିଲା ।
ତେବେ ପାଖରେ ଥିବା ଅନ୍ୟଜଣେ ଚାଷୀ ନିରଞ୍ଜନ ମହାନ୍ତ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କୁ ଡାକି ତାଙ୍କୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନା ନେଇଯାଇଥିଲେ । ପରେ ଈଶ୍ୱରଙ୍କୁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ଶଙ୍କଟାପନ୍ନ ହେବାରୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ସାପ ନେଲା ଦୁଇ ମହିଳାଙ୍କ ଜୀବନ । ସାପ କାମୁଡାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଜଣେ ଘରେ ଶୋଇଥିବା ବେଳେ ଆଉ ଜଣେ ରୋଷେଇ ପାଇଁ କାଠ ବାହାର କରୁଥିବା ବେଳେ ଦୁଇ ଜଣଙ୍କୁ ସାପ କାମୁଡ଼ିବାରୁ ହୋଇଛି ମୃତ୍ୟୁ ।
ଏଭଳି ଘଟଣା ଘଟିଛି ଉଦଳା ଏବଂ କପ୍ତିପଦା ଥାନା ଅଞ୍ଚଳରେ । କପ୍ତିପଦା ଥାନା ଗୋଳାଗଡିଆ ଗ୍ରାମର ଜୟନ୍ତୀ ବେହେରା ଗତକାଲି ରାତିରେ ଖାଇ ସାରି ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ଚିତ୍ତି ସାପ ତାଙ୍କୁ କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିଲା ।
ହେଲେ ସେହି ସମୟରେ ତାଙ୍କର ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେହିପରି ଉଦଳା ଥାନା ମଉଦା ଗ୍ରାମର ସୁକାନ୍ତି ବାସ୍କେ କାଠ ଆଣିବାକୁ ଯାଇଥିବା ବେଳେ ଏକ ବିଷାକ୍ତ ନାଗ ସାପ ତାଙ୍କୁ କାମୁଡି ଥିଲା। ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।