କନକ ବ୍ୟୁରୋ: ଲୋକଙ୍କ ସରକାର ପାଇଁ ଲୋକଙ୍କୁ ଆହାର ଯୋଗାଉଥିବା ଚାଷୀର ଗୁରୁତ୍ୱ କେତେ? ଆଗରୁ ନୌଟଙ୍କି ବିବାଦ ମୋହନ ସରକାରଙ୍କୁ ଅଡ଼ୁଆରେ ପକାଇଥିବା ବେଳେ, ଏବେ ପୁଣି ରାଜନଗର ଚାଷୀ ମୃତ୍ୟୁକୁ ନେଇ ଆଉ ଜଣେ ମନ୍ତ୍ରୀ ଦେଇଛନ୍ତି ସମ୍ୱଦେନହୀନ ମନ୍ତବ୍ୟ । ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ପ୍ରତିକ୍ରିୟାକୁ ବିଜେଡି ଜୋରଦାର ବିରୋଧ କରିଥିବା ବେଳେ, କନକ ନ୍ୟୁଜ ହାତରେ ଲାଗିଛି ଏକ୍ସକ୍ଲୁସିଭ୍ ଦସ୍ତାବିଜ, ଯାହାକି ସମବାୟ ସମ୍ପାଦକ ଓ ମିଲରଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି କରିଛି ।
ଏହା ବି ପଢ଼ନ୍ତୁ: ବିଗୁଡ଼ୁଛି ସହରର ଆଇନ ଶୃଙ୍ଖଳା ; ବଢ଼ୁଛି ଚୋରା ବନ୍ଧୁକ କାରବାର
ଲୋକଙ୍କ ସରକାରରେ ଦାୟିତ୍ୱବାନ ମନ୍ତ୍ରୀ! କୁଆଡ଼େ ଗଲା ସମ୍ୱେଦନଶୀଳତା? ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ନୂଆ ବିବାଦ ଯୋଡ଼ିଛି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବେପରୁଆ ଉତ୍ତର । ଚାଷୀଟିଏ ଧାନ ବିକିବାକୁ ୪୦ ଦିନ ଦୌଡ଼ିଲା, ଦିନ ଦିନ ଅଖିଆ ଅପିଆ ଧାନକୁ ଜଗି ବସିଲା, ଆଉ ମନ୍ତ୍ରୀ କହୁଛନ୍ତି- ‘ଅପେକ୍ଷା କରି କିଏ କ’ଣ ମରନ୍ତି?’... ‘ତାଙ୍କର ବୟସ ହେଲାଣି’... ‘ହୁଏତ ଅନ୍ୟ ରୋଗରୁ କିମ୍ୱା ହୃଦ୍ଘାତରୁ ମୃତ୍ୟୁ ହୋଇଥିବ’। କେନ୍ଦ୍ରାପଡ଼ା ରାଜନଗରର ଚାଷୀ ତ୍ରିଲୋଚନ ନାୟକଙ୍କ ମୃତ୍ୟୁକୁ ନେଇ ଏମିତି ଖାମଖିଆଲ ଉତ୍ତର ରଖିଛନ୍ତି ସମବାୟ ମନ୍ତ୍ରୀ । ଏହାକୁ ନେଇ ଜୋରଦାର ବର୍ଷିଛନ୍ତି ସ୍ଥାନୀୟ ବିଜେଡି ବିଧାୟକ ।
କାହିଁକି ଧାନ ନେଇ ମିଲ୍କୁ ଯାଇଥିଲେ ଚାଷୀ? ସନ୍ଦେହ ଘେରରେ ମିଲର୍ ଓ ସମବାୟ ସମ୍ପାଦକ। କନକ ନ୍ୟୁଜ ହାତରେ ଲାଗିଛି ମୃତ ଚାଷୀଙ୍କ ଟୋକନ୍ ଓ ମିଲର୍ ଧାନ ରିସିଭ୍ ଚିଠା । ଆଖି ସ୍କାନ୍ ରିପୋର୍ଟ କହୁଛି- ଫେବ୍ରୁଆରି ୧୪ରେ ତ୍ରିଲୋଚନ ଡାଙ୍ଗମାଳ ସୋସାଇଟିରେ ୩୮ କୁଇଣ୍ଟାଲ ୯୦ କିଲୋ ଧାନ ଦେଇଛନ୍ତି। ଅନ୍ୟପଟେ ଫେବ୍ରୁଆରି ୨୫ରେ ରାମଚଣ୍ଡୀ ରାଇସମିଲ୍ ମାଲିକ ତାଙ୍କ ଠାରୁ ୫୧ କୁଇଣ୍ଟାଲ ୨୦ କେଜି ଧାନ ଗ୍ରହଣ କରିଥିବା ଚିଠା ଦେଇଛନ୍ତି। ଯଦି ତ୍ରିଲୋଚନ ୧୪ରେ ମଣ୍ଡିରେ ଧାନ ଦେଲେ, ତେବେ ମିଲର୍ କେମିତି ୫୧ କୁଇଣ୍ଟାଲ ଧାନ ପାଇଲେ? ଯଦି ତ୍ରିଲୋଚନ ୫୧ କୁଇଣ୍ଟାଲ ୨୦ କିଲୋ ଧାନ ମିଲ୍ରେ ଦେଲେ, ତାଙ୍କୁ ୩୮ କୁଇଣ୍ଟାଲ ୯୦ କେଜି ଧାନର ଟଙ୍କା କାହିଁକି ପ୍ରଦାନ କରାଗଲା? ବାକି ୧୨ କୁଇଣ୍ଟାଲ ଧାନ କିଏ ଖାଇଲା? ନବ ନିର୍ମାଣ କୃଷକ ସଂଗଠନ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି- ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ ହେବ । ମଣ୍ଡି ଓ ମିଲରଙ୍କ ଅବହେଳାକୁ ଦାୟୀ କରି ତହସିଲଦାରଙ୍କ ନିକଟରେ ଫେରାଦ ହୋଇଛନ୍ତି ମୃତଚାଷୀଙ୍କ ପତ୍ନୀ ।
Follow Us