କନକ ବ୍ୟୁରୋ:  କାନ୍ଧରେ ୭୦ କେଜିର ଖାଦ୍ୟର ବୋଝ । ଚାଲିଚାଲି ପହଞ୍ଚିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ । କହିଲେ, ସୀମାରେ ଲଢୁଥିବା ଯବାନଙ୍କ ପାଇଁ ଆଣିଛନ୍ତି ଖାଦ୍ୟ । ସେମାନେ ଖାଇଲେ ସିନା ଲଢିବେ । ତାଙ୍କ ପାଇଁ ଯାହାଯାହା ଦରକାର ସବୁ ଯୋଗାଇଦେବେ । ଆବଶ୍ୟକ ପଡିଲେ ଯବାନଙ୍କୁ ଖାଦ୍ୟ ଯୋଗାଇବାକୁ ସ୍ତ୍ରୀଙ୍କ ଗହଣା ବିକିଦେବାକୁ ମଧ୍ୟ ସେ ପ୍ରସ୍ତୁତ । ଉତ୍ତରପ୍ରଦେଶ ବଲିୟାର ଚାଷୀ ନବୀନ କୁମାର  ରାୟ  ଓରଫ ଚୁନୁ ରାୟ ଏବେ ପୁଣି ଚର୍ଚ୍ଚାରେ । 

Advertisment

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀ ଚୁନୁ ରାୟ ପହଞ୍ଚିଲାବେଳକୁ ତାଙ୍କୁ ଦେଖି ସମସ୍ତଙ୍କ ଆଖି ଅଟକିଯାଇଥିଲା । ତାଙ୍କର ଅନୁରୋଧ ରକ୍ଷା କରିଥିଲେ ଜିଲ୍ଲାପାଳ  ଏବଂ ଚୁନୁ ରାୟଙ୍କ ଭାବନାକୁ ପ୍ରଶଂସା କରିଥିଲେ ଜିଲ୍ଲାପାଳ । ତେବେ ଅସ୍ତ୍ରଶସ୍ତ୍ର ନୁହେଁ ଦରକାର ପଡିଲେ ପାରମ୍ପରିକ ହତିଆରରେ ବି ପାକିସ୍ତାନକୁ ବୁଦ୍ଧି ଶିଖାଇବାକୁ କହିଥିଲେ ଚୁନୁ ରାୟ । ସୀମାରେ ଥିବା ଯବାନଙ୍କ ପାଇଁ ସେ ସବୁବେଳେ ଗର୍ବିତ । ଦେଶର ସଙ୍କଟ ସମୟରେ ଦେଶର ଚଷା ପୁଅ ସବୁ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ ରହିଛି । ଦରକାର ପଡିଲେ ସ୍ତ୍ରୀର ଅଳଙ୍କାର ବିକ୍ରି କରି ଯବାନଙ୍କୁ ସହଯୋଗ କରିବୁ ବୋଲି କହିଛନ୍ତି ଚାଷୀ ଚୁନୁ ରାୟ।  ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଭୂରୀ ପ୍ରଶଂସା କରାଯାଉଛି ।