କନକ ବ୍ୟୁରୋ : ୧୯୭୧ ଭାରତ-ପାକିସ୍ତାନ୍ ଯୁଦ୍ଧ କଥା ତ ମନେଥିବ ନିଶ୍ଚୟ । ଡିସେମ୍ୱର ୧୬ ତାରିଖ ଭାରତୀୟ ଇତିହାସ ପୃଷ୍ଠାର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଏହି ଦନ ପାକିସ୍ତାନଠାରୁ ଭାରତର ଐତିହାସିକ ବିଜୟ ହୋଇଥିଲା । ୧୬ ଡିସେମ୍ୱର ୧୯୭୧, ଯେଉଁ ଦିନ ଭାରତ ଯୁଦ୍ଧରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା । ଏହି ଯୁଦ୍ଧରେ ଭାରତର ୩ହଜାର ୯୦୦ ସୈନିକ ସହିଦ ହୋଇଥିଲେ । ଦେଶ ପାଇଁ ଜୀବନ ଦେଇଥିଲେ । ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ଅମର ହୋଇ ରହିଗଲେ । ଠିକ୍ ସେହିଭଳି ଏପରି କିଛି ବୀର ଯବାନ ରହିଛନ୍ତି, ଯାହାଙ୍କର ଏହି ଯୁଦ୍ଧରେ ବଡ ଭୂମୀକା ରହିଛି । ସେହିଭିଳି ଜଣେ ବୀର ଯବାନ ହେଉଛନ୍ତି ‘ରାମରତନ ସିଂ’ ।
୧୯୪୭ ଡିସେମ୍ୱର ୪ତାରିଖରେ ରାମରତନ ସିଂଙ୍କ ଜନ୍ମ ହୋଇଥିଲା । ପିଲାଟି ଦିନରୁ ସେନାରେ ଭର୍ତ୍ତି ହେବା ପାଇଁ ତାଙ୍କର ଇଚ୍ଛା ରହିଆସିଥିଲା । ୧୯୬୭ରେ ସେ ସେନାରେ ଭର୍ତ୍ତି ହେଲେ । ଆଉ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧରେ ସାମିଲ ହୋଇଥିଲେ । ଏଇଠୁ ଆରମ୍ଭ ହୋଇଥିଲା ରାମରତନଙ୍କ ବୀରତ୍ୱର କାହାଣୀ । ଯେତେବେଳେ ପାକିସ୍ତାନ ସହ ଯୁଦ୍ଧ ପାଇଁ ବିଗୁଲ ବାଜିଥିଲା, ସେତେବେଳେ ରାମରତନ ସିଂ ନିଜ ୟୁନିଟକୁ ନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ । ୧୯୭୧ ସେପ୍ଟେମ୍ୱର ୯ତାରିଖରେ ତାଙ୍କ ୟୁନିଟ୍ ରାସ୍ତାରେ ଯାତ୍ରା ଆରମ୍ଭ କରି ଗୁରୁଦାସପୁରରେ ପହଞ୍ଚିଥିଲା । ତାଙ୍କୁ ଏଠାରେ ଦୁଇମାସ ପାଇଁ ପୋଷ୍ଟ କରାଯାଇଥିଲା । ୩ଡିସେମ୍ୱର ୧୯୭୧ରେ ପୁଣି ଯୁଦ୍ଧ ଆରମ୍ଭ ହୋଇଥିଲା । ୪ତାରିଖରେ ରାମରତନ ତାଙ୍କ ୟୁନିଟକୁ ନେଇ ପାକିସ୍ତାନ୍ ସୀମା ନିକଟରେ ପହଞ୍ଚିଲେ । ସୀମା ଆରପାରିରୁ ଗୁଳି ବର୍ଷା ହେଉଥାଏ । ଏପଟୁ ବି ଶତ୍ରୁଙ୍କ ଉପରେ ଗୋଳା ବାରୁଦ ବର୍ଷା କରାଯାଉଥାଏ । ଭାରତୀୟ ସେନାଙ୍କ ଗୁଳିରେ ଗୋଟିଏ ପରେ ଗୋଟିଏ ଶତ୍ରୁ ଟଳିପଡୁଥାନ୍ତି । ତଥାବି ପାକିସ୍ତାନ ପଛକୁ ହଟୁନଥାଏ । ଏହି ସମୟରେ ବୀରତ୍ୱ ଦେଖାଇଥିଲେ ରାମରତନ । ପାକିସ୍ତାନ ସୀମାକୁ ପଶିଯାଇଥିଲେ ରାମରତନ ଓ ତାଙ୍କ ୟୁନିଟ୍ । ଶତ୍ରୁ ଉପରେ ତୁହାକୁ ତୁହା ଗୁଳିବର୍ଷା କରିଥିଲେ । ଶେଷରେ ପଛକୁ ହଟିବା ପାଇଁ ବାଧ୍ୟ ହୋଇଥିଲା ସୈତାନ ପାକିସ୍ତାନ । ପାଖାପାଖି ପାକିସ୍ତାନ ସୀମାର ୧୫ କିଲୋମିଟର ଭିତରକୁ ପଶିଯାଇଥିଲା ରାମରତନଙ୍କ ଟିମ୍ । ଆଉ ପାକିସ୍ତାନର ନୈନା କୋର୍ଟ ସହର କବଜା କରିବାରେ ସଫଳ ହୋଇଥିଲେ ।
ପାକିସ୍ତାନ ସୀମାରେ ନଷ୍ଟ କରିଦେଲେ ଟ୍ୟାଙ୍କର
ଡିସେମ୍ୱର ୧୫ ତାରିଖରେ ପାକିସ୍ତାନ୍ ସୀମା ଭିତରେ ଭାରତୀୟ ସେନାଙ୍କ ଟ୍ୟାଙ୍କର ଫସିଯାଇଥିଲା । ନଦୀ ପାର ବେଳେ ଏକ ଦଲଦଲରେ ଫସିଯାଇଥିଲା ଭାରତୀୟ ଟ୍ୟାଙ୍କର । ଦଲଦଲରୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇଯାଇଥିଲା । ପାକିସ୍ତାନ୍ ହାତରେ ଯେପରି ଟ୍ୟାଙ୍କ୍ ନଲାଗୁ, ସେଥିପାଇଁ ଟ୍ୟାଙ୍କରେ ବିସ୍ଫୋରଣ କରି ଟ୍ୟାଙ୍କକୁ ନଷ୍ଟ କରିଦେଇଥିଲେ ରାମରତନ । ଡିସେମ୍ୱର ୧୬ରେ ଯୁଦ୍ଧ ବିରତୀ ପାଇଁ ନିର୍ଦ୍ଦେଶ ଆସିଲା । ଆଉ ରାମରତନ ଏବଂ ତାଙ୍କ ୟୁନିଟରେ ଥିବା ୪୫୦ରୁ ୫୦୦ ଯବାନ ବିଯୟର ଉତ୍ସନ ମନାଇ ଭାରତ ସୀମାକୁ ଫେରିଆସିଥିଲେ । ସେତେବେଳେ ରାମରତନଙ୍କ ବୟସ ମାତ୍ର ୨୪ ବର୍ଷ ଥିଲା । ଏତେ କମ୍ ବୟସରେ ବି ରାମରତନ ମାଟି ମାଆ ପାଇଁ ବୀରତ୍ୱର ସହ ଶତ୍ରୁ ସହ ଲଢେଇ କରିଥିଲେ ।