କନକ ବ୍ୟୁରୋ : ଆରମ୍ଭ ହେଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ମଙ୍ଗଳବାର ନନ୍ଦପଡ଼ାର ଦେବାଧିଦେବ ମହାଦେବ ବମବରାଡ଼ ବାଲୁଙ୍କେଶ୍ୱର ଓ ଜଗଜ୍ଜନନୀ ମା ପାର୍ବତୀଙ୍କର ପତରପେଣ୍ଡି ବା ନିର୍ବନ୍ଧ ଅନୁଷ୍ଠିତ ହୋଇଛି। ସଂଧ୍ୟା ପ୍ରାୟ ୮ଟା ସମୟରେ ଦେବ ଦେବ ମହାଦେବଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ଏହା ପରେ ବରପିତା ଓ ସପ୍ତରୂଷୀ ବାହାରିଥିଲେ ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣରେ। ଭବ୍ୟ ପଟୁଆରରେ ଘଂଟ, ଶଙ୍ଖ, ଦୁଲୁଦୁଲି, ଧମାଲ ବାଦ୍ୟର ତାଳେ ତାଳେ ବାହାରିଥିଲା ମହାଦେବଙ୍କ ପଟୁଆର । ବରପକ୍ଷ ପହଂଚିଥିଲେ ସମ୍ବଲପୁର ନିବାସୀ ପ୍ରତାପ ନନ୍ଦ ଓ ଲିପିକା ନନ୍ଦଙ୍କ ଘରେ । ବରପକ୍ଷଙ୍କୁ କନ୍ୟା ଘର ତରଫରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏଠାରେ ବରପକ୍ଷ କନ୍ୟାପକ୍ଷଙ୍କୁ ମହାଦେବଙ୍କ ପାଇଁ ଏକ ସୁଯୋଗ୍ୟ କନ୍ୟା ଥିବାର ସୂଚନା ପାଇ ଆସିଥିବାର ବରପିତା କହିଥିଲେ । ପରେ କନ୍ୟାପକ୍ଷ ସାମ୍ନାରେ ମହାଦେବଙ୍କ ଗୁଣଗାନ କରିଥିଲେ ସାଙ୍ଗରେ ଆସିଥିବା ସପ୍ତରୂଷୀ । କନ୍ୟାପକ୍ଷ ରାଜି ହେବା ପରେ ସପ୍ତରୂଷୀଙ୍କ ଉପସ୍ଥିତିରେ ଦେବୀ ପାର୍ବତୀଙ୍କୁ ବେଲ ପତ୍ର, ଫୁଲ ଏବଂ ଗୋଟିଏ ବିଡ଼ା ସରଗି ପତ୍ର ଦେଇ ବୋହୂ ହିସାବରେ ବାଛିଛନ୍ତି ବରପକ୍ଷ, ଏଥିସହିତ ସମ୍ପନ୍ନ ହୋଇଛି ମହାଦେବ ଓ ମା ପାର୍ବତୀଙ୍କ ପତରପେଣ୍ଡି ବା ନିର୍ବନ୍ଧ କାର୍ଯ୍ୟ । ଆଜି ଦେବ ଦେବ ମହାଦେବଙ୍କ ବାହାଘର ପାଇଁ ବିମାନରେ ବିଜେ କରି ନୃସିଂହ ମହାପ୍ରଭୁ ନିମନ୍ତ୍ରଣରେ ବାହାରିବେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us