କନକ ବ୍ୟୁରୋ: ଅସ୍ତ ହୋଇଗଲେ ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲ । ୯୦ ବର୍ଷ ବୟସରେ ମୁମ୍ବାଇରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ୧୯୭୬ରେ ଶ୍ୟାମ ବେନେଗଲଙ୍କୁ ଭାରତ ସରକାର ପଦ୍ମଶ୍ରୀ ଓ ୧୯୯୧ରେ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ । ଶ୍ୟାମ ବେନେଗଲଙ୍କ ପ୍ରସିଦ୍ଧ ପିଲ୍ମ ମଧ୍ୟରେ ରହିଛି ଜୁବେଦା, ମନ୍ଥନ ଓ ସର୍ଦ୍ଦାରୀ । ଶ୍ୟାମ ବେନେଗଲଙ୍କ ପରଲୋକ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ବଡ କ୍ଷତି ବୋଲି କୁହାଯାଉଛି । ଆଜି ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବଲିଉଡ ସେଲିବ୍ରିଟିଙ୍କ ଗହଣରେ ଶ୍ୟାମ ବେନେଗଲ ୧୪ ଡିସେମ୍ବରରେ ୯୦ତମ ଜନ୍ମଦିନ ପାଳନ କରିଥିଲେ । ଜଣେ ନିର୍ଦ୍ଦେଶକ ଭାବରେ ଅନ୍ତର୍ଜାତୀୟ ସ୍ତରରେ ସେ ବେଶ ନାଁ କମାଇଥିଲେ । ନିଶାନ୍ତ, ମନ୍ଥନ, ଭୂମିକା ଓ ସର୍ଦ୍ଦାରୀ ବେଗମ ଭଳି ଅନେକ କାଳଜୟୀ ଫିଲ୍ମ ନିର୍ମାଣ କରିଛନ୍ତି ଶ୍ୟାମ ବେନେଗଲ ।
- ୧୯୭୪ରେ ଅଂକୁର ଫିଲ୍ମରୁ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ଶ୍ୟାମ ବେନେଗଲ
- ଏହି ଫିଲ୍ମ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ ଥିଲା
- ଏହି ଫିଲ୍ମ ତାଙ୍କୁ ଅନ୍ତର୍ଜାତୀୟ ସ୍ତରରେ ପରିଚୟ ଦେଇଥିଲା
- ବେନଗଲଙ୍କ ନିର୍ଦ୍ଦେଶିତ ମଂଥନ ଫିଲ୍ମ ଦର୍ଶକଙ୍କ ଟଙ୍କାରେ ନିର୍ମାଣ ହୋଇଥିଲା
- ଲୋକଙ୍କ ସଂଘର୍ଷର କାହାଣୀକୁ ସେ ଫିଲ୍ମରେ ପ୍ରାଥମିକତା ଦେଉଥିଲେ
- ଶାବନା ଆଜାମୀ, ସ୍ମିତା ପାଟିଲ, ନାଶିରୁଦ୍ଦିନ ଶାହ, ଓମ ପୁରୀ ଓ ଅମରୀଶପୁରୀଙ୍କୁ ବ୍ରେକ ଦେଇଥିଲେ
- ଦୂରଦର୍ଶନର ପ୍ରସିଦ୍ଧ ସିରିୟଲ 'ଭାରତ ଏକ ଖୋଜ୍'ର ନିର୍ଦ୍ଦେଶନା
- ଜବାହରଲାଲ ନେହେରୁ ଓ ସତ୍ୟଜିତ ରଏଙ୍କ ଉପରେ ପ୍ରମାଣିକ ଫିଲ୍ମ କରିଥିଲେ
- 'ଜୁବେଦା' ଫିଲ୍ମ ଅଭିନେତ୍ରୀ କରିସ୍ମା କପୁରଙ୍କ ଆଇକନିକ ଫିଲ୍ମ ଥିଲା