କନକ ବ୍ୟୁରୋ : ଦେଓମାଳିକୁ ନେଇ ଚିନ୍ତା ପ୍ରକାଶ କଲେ ପ୍ରଖ୍ୟାତ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି । ଓଡିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ପହଞ୍ଚି ଯେତିକି ଖୁସି ଅନୁଭବ କଲେ, ସେଠାକାର ସ୍ଥିତି ଦେଖି ସେତିକି ଦୁଃଖିତ ହେଲେ ବୋଲି ସୋସିଆଲ୍‌ ମିଡିଆରେ କହିଛନ୍ତି ରାଜାମୌଲି । ଆଉ ତାଙ୍କର ଏହି ସୋସିଆଲ୍‌ ମିଡିଆ ପୋଷ୍ଟ୍‌କୁ ନେଇ କେବଳ ଆମ ରାଜ୍ୟ ନୁହେଁ ସାରା ଦେଶରେ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । 

Advertisment

ରାଜାମୌଲିଙ୍କ ଭିଡିଓରେ ଦେଓମାଳିର ଆକର୍ଷଣୀୟ ସୌନ୍ଦର୍ଯ୍ୟ ସମେତ ସେଠାରେ ପଡ଼ି ରହିଥିବା ଆବର୍ଜନା ଦେଖିବାକୁ ମିଳୁଛି ।  ପ୍ରକୃତିକୁ ଏଭଳି ଅସମ୍ମାନ ଦିଆଯାଉଥିବାକୁ ନେଇ ନିଜ ଭିଡିଓରେ ଦୁଃଖ ପ୍ରକାଶ କରିଛନ୍ତି ସାଉଥ୍ ନିର୍ଦ୍ଦେଶକ । ଦେଓମାଳିକୁ ନେଇ ରାଜାମୌଲିଙ୍କ ଏହି ଭିଡିଓକୁ ଦେଖି ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି ପର୍ଯ୍ୟଟନ ସ୍ଥଳୀକୁ ପରିଷ୍କାର ରଖାଯାଉନାହିଁ, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିକଟରେ ନିଜ ଆଗାମୀ ଫିଲ୍ମର ସୁଟିଂ ପାଇଁ କୋରାପୁଟ ଆସିଥିଲେ ପ୍ରଖ୍ୟାତ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି । ଫିଲ୍ମର ଲିଡ୍ ଷ୍ଟାର୍‌ ମହେଶବାବୁ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ କୋରାପୁଟ ଆସିଥିଲେ । ପ୍ରାୟ ୧୫ ଦିନ ରହି ସିନେମାର କିଛି ଭାଗ ସୁଟିଂ ସାରି ଫେରିଛି ରାଜାମୌଲିଙ୍କ ଟିମ୍ ।