କନକ ବ୍ୟୁରୋ: କଟକର "ଦହିବରା ଆଳୁଦମ୍"କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିବା ପ୍ରସିଦ୍ଧ ବ୍ୟବସାୟୀ ରଘୁନାଥ ସାସମଲ, ଯିଏ "ରଘୁ ମଉସା" ନାମରେ ବେଶ୍ ପରିଚିତ ଥିଲେ, ତାଙ୍କର ୯୧ ବର୍ଷ ବୟସରେ ପରଲୋକ ହୋଇଛି । କଟକର ବିଡାନାସୀ ସ୍ଥିତ ଗୋପାଳସାହି ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ବିୟୋଗରେ କଟକ ତଥା ସାରା ଓଡ଼ିଶାର ଖାଦ୍ୟପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।
ରଘୁ ମଉସା ଦୀର୍ଘ ବର୍ଷ ଧରି କଟକର ବିଡାନାସୀ ଛକ ନିକଟରେ ଏକ ଟ୍ରଲିରେ ଦହିବରା ଆଳୁଦମ୍ ବିକ୍ରି କରିଆସୁଥିଲେ । ସନ୍ଧ୍ୟା ୫:୩୦ରେ ସେ ନିଜ ଦୋକାନ ଖୋଲୁଥିଲେ ଏବଂ ତାଙ୍କ ଆସିବା ପୂର୍ବରୁ ହିଁ ଗ୍ରାହକମାନଙ୍କର ଲମ୍ବା ଲାଇନ ଲାଗିଯାଉଥିଲା । ସେ ପ୍ରତିଦିନ ପ୍ରାୟ ୨୦୦ ଜଣଙ୍କ ପାଇଁ ଦହିବରା ପ୍ରସ୍ତୁତ କରୁଥିବାବେଳେ ଛୁଟି ଦିନମାନଙ୍କରେ ଏହି ସଂଖ୍ୟା ଆହୁରି ବଢିଯାଉଥିଲା ।
ତାଙ୍କର ସବୁଠାରୁ ବଡ଼ ବିଶେଷତା ଥିଲା କଞ୍ଚା ଶାଳପତ୍ର ଠୁଙ୍ଗାରେ ଦହିବରା ଆଳୁଦମ୍ ପରସିବା, ଯାହା ତାଙ୍କ ସ୍ୱାଦକୁ ଆହୁରି ନିଆରା କରିଦେଉଥିଲା । ତାଙ୍କ ହାତ ତିଆରି ଦହିବରାର ସ୍ୱାଦ ଏତେ ଅନନ୍ୟ ଥିଲା ଯେ କେବଳ କଟକ ନୁହେଁ, ସମଗ୍ର ଓଡ଼ିଶାରେ ତାଙ୍କର ଏକ ଭିନ୍ନ ପରିଚୟ ସୃଷ୍ଟି ହୋଇଥିଲା । "ରଘୁ ଦହିବରା" କହିଲେ ଲୋକେ କଟକର ସେହି ଅପୂର୍ବ ସ୍ୱାଦକୁ ହିଁ ବୁଝୁଥିଲେ । ତାଙ୍କ ବିୟୋଗ ସହିତ କଟକର ଏକ ଐତିହ୍ୟବାହୀ ସ୍ୱାଦର ଯୁଗ ଶେଷ ହୋଇଯାଇଛି ବୋଲି ଅନେକେ ମତ ପ୍ରକାଶ କରିଛନ୍ତି ।