Housing Aid Photograph: (Kanak News)
କନକ ବ୍ୟୁରୋ : ଭଙ୍ଗା ଚାଳଛପର ଘରେ ବିତୁଛି ଅଭାବି ପରିବାରର ଜୀବନ । ଘର ବି ନୁହେଁ, ପଲିଥିନ କୁଡ଼ିଆଟେ କହିଲେ ଚଳେ । ଯାହା ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଛାରଖାର ହୋଇଯାଇଛି । ଏ ଖବର ଦେଖିଲେ ଆପଣଙ୍କ ମନକୁ ଗୋଟିଏ ପ୍ରଶ୍ନ ନିଶ୍ଚୟ ଆସିବ, ଏମାନେ କଣେ ଆବସ ଘର ଖଣ୍ଡିଏ ପାଇବା ପାଇଁ ଯୋଗ୍ୟ ନୁହଁ ।
ଭଙ୍ଗା ମାଟି କାନ୍ଥ । ଛପର ଉପରେ ଛିଣ୍ଡା ଜରିପାଲ । ବାସ ଭୂଇଁରେ ମିଶିଗଲାଣି । ସୂର୍ଯ୍ୟ, ଚନ୍ଦ୍ର ସବୁ ଦୃଶ୍ୟମାନ। ଯେଉଁଠି ଭଲରେ ଜଣେ ବସିବା ଅସମ୍ଭବ । ସେଠି ମୁଣ୍ଡ ଗୁଞ୍ଜିଛନ୍ତି ଗୋଟିଏ ପରିବାରର ୫ ଜଣ ସଦସ୍ୟ । ସେଇଠି ଆସବାପତ୍ର, ସେଇଠି ଖାଇବା, ଶୋଇବା ସବୁ କିଛି ଗୋଟିଏ ଭଙ୍ଗା କୁଡ଼ିଆରେ । ମହାକାଳପଡ଼ା ବ୍ଲକ ତିଖୀରି ପଞ୍ଚାୟତ ବାଲିସୁଆଁ ଗାଁର ୬୧ ବର୍ଷିୟ ବୃଦ୍ଧ ପ୍ରତାପ ଚୌଧୁରୀ । ପରିବାର କହିଲେ ପ୍ରତାପ, ତାଙ୍କ ସ୍ତ୍ରୀ, ଦୁଇ ପୁଅ ଓ ଝିଅ । ଜମିବାଡି ନଥିବାରୁ ପର ଜମିରେ ମୂଲ ଲାଗି ପରିବାର ଚଳାଇଥାନ୍ତି ବୃଦ୍ଧ ପ୍ରତାପ । ଅଭାବ ଅନଟନ ଭିତରେ ଭଲରେ ମୁଠେ ଖାଇବାକୁ ମିଳେନି। ଘରଟି ସଜାଡ଼ିବା ସମ୍ଭବ ହୋଇନି ।
ଅଧିକ ପଢ଼ନ୍ତୁ : ୧ ନମ୍ବର ମାର୍କେଟ୍...ସୁପରମାର୍ଟ...ତୋଷାଳୀ ଭବନ..ନିଆଁ କେମିତି ଲାଗୁଛି ?
୧୦ ବର୍ଷ ହେଲା ଆବାସ ଘର ଖଣ୍ଡିଏ ପାଇଁ ସଂଘର୍ଷ କରୁଛନ୍ତି ପ୍ରତାପଙ୍କ ପରିବାର । ଜିଲ୍ଲା ପ୍ରଶାସନ ଠାରୁ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ହୋଇଗଲେଣି । ଘର ଖଣ୍ଡିଏ ମିଳୁନି । ଭଙ୍ଗା ଘରେ ଅତି ଦୟନୀୟ ଭାବେ ପରିବାର ସହ ଜୀବନ ବିତାଉଛନ୍ତି ପ୍ରତାପ ।
ଘରକୁ ଦେଖିଲେ ମନକୁ ଏକ ପ୍ରଶ୍ନ ଆସୁଛି, ଏମିତି ବଞ୍ଚିବାକୁ କ’ଣ ଜୀବନ କୁହାଯାଏ । ଯେଉଁଠି ସବୁବେଳେ ଅଘଟଣର ଭୟ ଘାରୁଥିବ । କିନ୍ତୁ ଉପାୟ ବା କ’ଣ ଅଛି । କାହା ପାଖକୁ ଯାଇ ନିଜ ଗୁହାରି ଜଣାଇବ ଅଭାବୀ ମଣିଷ ? ଯଦି ପ୍ରତାପଙ୍କ ପରିବାର ନୁହେଁ, ତାହେଲେ ଆବାସ ପାଇଁ ପ୍ରକୃତରେ ଯୋଗ୍ୟ କିଏ ? ଆମେ ନୁହେଁ ଏ ପ୍ରଶ୍ନ ପଚାରୁଛି ପ୍ରତ୍ୟେକଟି ଅଭାବୀ ମଣିଷ । ଯିଏ ଯୋଗ୍ୟ ହୋଇ ବି ସରକାରୀ ସୁବିଧାରୁ ବଞ୍ଚିତ ।
Follow Us