କନକ ବ୍ୟୁରୋ: ରାଜ୍ୟର କ୍ଷମତା କରିଡର ଲୋକସେବା ଭବନରେ ମାତିଛନ୍ତି ଦଲାଲ । ଏକଥା ଆମେ କହୁନାହୁଁ, ବରଂ କମିସନରେଟ୍ ପୁଲିସ ଜଣେ ଧୂର୍ତ୍ତ ଠକ ବ୍ୟାସଦେବ ରଣାଙ୍କୁ ଗିରଫ କରିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ପଞ୍ଚାୟତିରାଜ ବିଭାଗର ଅଫିସର ପରିଚୟ ପତ୍ର ଧରି ଲୋକସେବା ଭବନରେ ପଶୁଥିଲା, ଚାକିରି ଦେବା ନାଁରେ ଲୋକଙ୍କୁ ଲୁଟ କରୁଥିଲା। ତେଣୁ ଏବେ ପ୍ରଶ୍ନ ଉଠୁଛି, କେବଳ ବ୍ୟାସଦେବ ଏମିତି କରୁଥିଲେ ନା ଆଉ ଅଛନ୍ତି? ଏମାନଙ୍କ ପଛରେ କ୍ଷମତାଶାଳୀ ବାବୁଜଣକ କିଏ?

Advertisment
  • ଲୋକସେବା ଭବନରେ ନକଲି ଏସଓ
  • କ୍ଷମତା କେନ୍ଦ୍ରରେ ମାତିଛନ୍ତି ମହାଠକ
  • ଚାକିରି ଦେବା ନାଁରେ ଲୁଟିନେଲେ ୧୨ ଲକ୍ଷ

ବ୍ୟାସଦେବ ରଣା , ଘର : ନର୍ଲା, କଳାହାଣ୍ଡି । ଦୀର୍ଘଦିନ ଧରି ସେ ଭୁବନେଶ୍ବରରେ ରହୁଥିଲେ ।  ବ୍ୟାସଦେବ ନିଜକୁ ପଞ୍ଚାୟତିରାଜ ବିଭାଗର ସେକ୍ସନ ଅଫିସର ବୋଲି ପରିଚୟ ଦେଉଥିଲେ । ଆଉ ଚାକିରି କରାଇଦେବାକୁ କହି ଲୋକଙ୍କୁ ଠକୁଥିଲେ । ଏମିତି ଚାକିରି ଦେବାକୁ କହି ପୁରୀର ପୂର୍ଣ୍ଣଚନ୍ଦ୍ର ପରିଡା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ପର୍ଯ୍ୟାୟକ୍ରମେ ୧୨ ଲକ୍ଷ ଟଙ୍କା ଠକିଥିଲେ । ଏ ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ବ୍ୟାସଦେବକୁ ଲୋକସେବା ଭବନ ଗେଟ ସମ୍ମୁଖରୁ ଗିରଫ କରିଛି ।  

ତେବେ ବ୍ୟାସଦେବ ରଣାର ଜାଲ ଆଇକାର୍ଡ ଇସ୍ୟୁ ହୋଇଛି ୨୦୨୦ ଏପ୍ରିଲ ପହିଲାରେ । ଆଉ କାର୍ଡର ବୈଧତା ରହିଛି ଡିସେମ୍ବର ୩୧, ୨୦୨୪ । ଅର୍ଥାତ ଏହି ଜାଲକାର୍ଡ ଦେଖାଇ ଲୋକସବା ଭବନରେ ପଶୁଥିଲା ଓ ଲୋକଙ୍କୁ ଚାକିରି ଦେବା ନାଁରେ ବୋକା ବନାଉଥିଲା । ପୂର୍ଣ୍ଣଚନ୍ଦ୍ର ନିଜ ପୁଅକୁ ଚାକିରି ଦେବା ଆଶାରେ ସୁନା ଗହଣା ବିକି ବ୍ୟାସଦେବଙ୍କୁ ୧୨ ଲକ୍ଷ ଟଙ୍କା ଦେଇଥିଲେ ।  ସେପଟେ ବ୍ୟାସଙ୍କୁ ଗିରଫ ପରେ ଲୋକସବା ଭବନର ସୁରକ୍ଷାକୁ କଡାକାଡି କରାଯାଇଛି ।

ରାଜ୍ୟର ପାୱାର କରିଡର ଭିତରେ ମହାଠକଙ୍କ ଏଭଳି ଶୋଷଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଶ୍ନ ଉଠୁଛି...

  • କାହା ସମର୍ଥନରେ ବ୍ୟାସଦେବ ଲୋକସେବା ଭବନରେ ପଶୁଥିଲା?
  • କେଉଁ ଅଧିକାରୀଙ୍କ ସହ ବ୍ୟାସଦେବର ସମ୍ପର୍କ ଓ ସମର୍ଥନ ଥିଲା?
  • ବ୍ୟାସଦେବ ବୁଲୁଥିବାର ସିସିଟଭି ଯାଞ୍ଚ ହେବ କି?
  • ବ୍ୟାସଦେବର ଠକେଇରେ ଆଉ କେଉଁମାନେ ସାମିଲ ?