କନକ ବ୍ୟୁରୋ: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଏକ ମଦ୍ରାସାରେ ନକଲି ନୋଟ୍ ରାକେଟର ପର୍ଦ୍ଦାଫାସ ହୋଇଛି। ଏହି ରାକେଟରେ ପୁଲିସ ମଦ୍ରାସାର ପ୍ରିନ୍ସିପାଲଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଯେଉଁଥିରୁ ଦୁଇ ଜଣ ଭଦ୍ରକର ବୋଲି ଜଣାପଡ଼ିଛି। ତଫସିରୁଲ ଆରିଫିନ୍ ଓ ଜାହିର ଖାନ୍ ଭଦ୍ରକ ଜିଲ୍ଲାର ମୂଳ ବାସିନ୍ଦା। ଅଗଷ୍ଟ ୨୮ରେ ଅତରସୁଇଆ ଅଞ୍ଚଳରେ ଥିବା ଜାମିଆ ହବିବିଆ ମଦ୍ରାସାରେ ପୁଲିସ ଚଢ଼ାଉ କରିଥିଲା। ଯାହାପରେ ଏହି ନକଲି ନୋଟ୍ କାରବାର ସାମ୍ନାକୁ ଆସିଛି।
ଏହି ଗ୍ୟାଙ୍ଗ ନକଲି ନୋଟ୍ ଛାପିବା, ସ୍କାନିଂ କରିବାରେ ସମ୍ପୃକ୍ତ ଥିଲା। ପୁଲିସ ୧ ଲକ୍ଷ ୩୦ ହଜାର ଟଙ୍କାର ନକଲି ନୋଟ୍, କଏନ, ଗୋଟିଏ ଲାପଟପ୍ , ଗୋଟିଏ ପ୍ରିଣ୍ଟର, ଉଚ୍ଚ ମାନର ସ୍କାନର ଓ ନକଲି କାରବାରରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତମାନେ ୧୦୦ ଟଙ୍କିଆ ନକଲି ନୋଟ୍ ତିଆରି କରୁଥିଲେ କାରଣ ଲୋକମାନେ ସାଧାରଣତଃ ଛୋଟ ନୋଟର ସତ୍ୟତା ଯାଞ୍ଚ କରନ୍ତି ନାହିଁ। ଅଭିଯୁକ୍ତମାନେ ହେଲେ ମହମ୍ମଦ ତଫସିରୁଲ ଆରିଫିନ୍, ମହମ୍ମଦ ଅଫଜଲ, ମହମ୍ମଦ ସାହିଦ ଓ ଜାହିର ଖାନ୍ ଓରଫ ଅବଦୁଲ ଜାହିର । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନାନୁସାରେ, କାର୍ଯ୍ୟକାରୀ ପ୍ରିନ୍ସିପାଲ ତଫସିରୁଲ ଏହି ଗ୍ୟାଙ୍ଗକୁ ଚଳାଇବା ପାଇଁ ମଦ୍ରାସାରେ ଏକ ରୁମ୍ ଯୋଗାଇ ଦେଇଥିଲେ। ଏହି ରାକେଟର ମାଷ୍ଟର ମାଇଣ୍ଡ ଜାହିର ଖାନ୍ ମଧ୍ୟ ଓଡ଼ିଶାର। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ପୁଲିସ ଖୋଜୁଛି। ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡ ସମେତ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଏହି ମଦ୍ରାସା ଆକର୍ଷିତ କରୁଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/Lkk9mQfQ9eAlIjL3DdMI.jpg)