କନକ ବ୍ୟୁରୋ:  ୟୁପି ପ୍ରୟାଗରାଜସ୍ଥିତ ମଦ୍ରାସାରେ ନକଲି ନୋଟ୍ ରାକେଟର ପର୍ଦ୍ଦାଫାସ ହୋଇଛି। ଏହି ରାକେଟରେ ପୁଲିସ ମଦ୍ରାସାର ପ୍ରିନ୍ସିପାଲଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ଯେଉଁଥିରୁ ଦୁଇ ଜଣ ଭଦ୍ରକର ବୋଲି ଜଣାପଡ଼ିଛି । ତଫସିରୁଲ ଆରିଫିନ୍ ଓ ଜାହିର ଖାନ୍ ଭଦ୍ରକ ଜିଲ୍ଲାର ମୂଳ ବାସିନ୍ଦା । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମାଷ୍ଟର ମାଇଣ୍ଡ ଜାହିର ଖାଁଙ୍କ ବାପା । ଜାହିରଙ୍କ ଘର ବାସୁଦେବପୁର ବ୍ଲକ ଶୁକଦେବପୁର ୧୪ ନମ୍ବର ୱାର୍ଡ । ତାଙ୍କ ବାପା ସାଜିଦ ଖାଁ କହିଛନ୍ତି, ଜାହିର ଗତ ଦୁଇ ବର୍ଷ ପୂର୍ବେ ପ୍ରଥମେ ବାସୁଦେବପୁର ମଦ୍ରାସାରେ ପରେ ଭଦ୍ରକ ଗୁଜିଦରଡ଼ାରେ ଥିବା ମଦ୍ରାସାରେ ପାଠ ପଢୁଥିଲା । ଏହାର କିଛି ଦିନ ପରେ ଉତ୍ତରପ୍ରଦେଶ ପ୍ରୟାଗରାଜରେ ପହଞ୍ଚି ଏକ ମଦ୍ରାସାରେ ମୌଲାନା ପାଠ ପଢିବାକୁ ଯାଇଥିଲା । 

ସାଜିଦ କହିଛନ୍ତି, ପୁଅକୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଏହାପରେ ବାସୁଦେବପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଜାହିରର ବାପା ସାଜିଦ । ଯଦି ପୁଅ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ଥିବ ଆଇନ ତାକୁ ନିଶ୍ଚିତ ଦଣ୍ଡ ଦେବ ବୋଲି କହିଛନ୍ତି ବାପା ସାଜିଦ । ଅଗଷ୍ଟ ୨୮ରେ ଅତରସୁଇଆ ଅଞ୍ଚଳରେ ଥିବା ଜାମିଆ ହବିବିଆ ମଦ୍ରାସାରେ ପୁଲିସ ଚଢ଼ାଉ କରିଥିଲା । ଏହି ନକଲି ନୋଟ୍ କାରବାର ସାମ୍ନାକୁ ଆସିଛି । ଏହି ଗ୍ୟାଙ୍ଗ ନକଲି ନୋଟ୍ ଛାପିବା, ସ୍କାନିଂ କରିବାରେ ସମ୍ପୃକ୍ତ ଥିଲା । ପୁଲିସ ୧ ଲକ୍ଷ ୩୦ ହଜାର ଟଙ୍କାର ନକଲି ନୋଟ୍, କଏନ, ଗୋଟିଏ ଲାପଟପ୍ , ଗୋଟିଏ ପ୍ରିଣ୍ଟର, ଉଚ୍ଚ ମାନର ସ୍କାନର ଓ ନକଲି କାରବାରରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । 

ଅଭିଯୁକ୍ତମାନେ ୧୦୦ ଟଙ୍କିଆ ନକଲି ନୋଟ୍ ତିଆରି କରୁଥିଲେ କାରଣ ଲୋକମାନେ ସାଧାରଣତଃ ଛୋଟ ବିଲର ସତ୍ୟତା ଯାଞ୍ଚ କରନ୍ତି ନାହିଁ । ଅଭିଯୁକ୍ତମାନେ ହେଲେ ମହମ୍ମଦ ତଫସିରୁଲ ଆରିଫିନ୍(୨୫), ମହମ୍ମଦ ଅଫଜଲ, ମହମ୍ମଦ ସାହିଦ ଓ ଜାହିର ଖାନ୍ ଓରଫ ଅବଦୁଲ ଜାହିର । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନାନୁସାରେ, କାର୍ୟ୍ୟକାରୀ ପ୍ରିନ୍ସିପାଲ ତଫସିରୁଲ ଏହି ଗ୍ୟାଙ୍ଗକୁ ଚଳାଇବା ପାଇଁ ମଦ୍ରାସାରେ ଏକ ରୁମ୍ ଯୋଗାଇ ଦେଇଥିଲେ । ଏହି ରାକେଟର ମାଷ୍ଟର ମାଇଣ୍ଡ ଜାହିର ଖାନ୍ ମଧ୍ୟ ଭଦ୍ରକର ବାସିନ୍ଦା । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ପୁଲିସ ଖୋଜୁଛି । ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡ ସମେତ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ଏହି ମଦ୍ରାସାକୁ ଆସୁଥିଲେ ।