କନକ ବ୍ୟୁରୋ: ସୁନା ପ୍ରତି ସମସ୍ତଙ୍କର ଆକର୍ଷଣ ରହିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜ୍ୟରେ ଚାଲିଛି ନକଲି ସୁନା କାରବାର। ନକଲି ସୁନା ବିକ୍ରି କରୁଥିବା ୫ ଅଳଙ୍କାର ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ବି ହୋଇଛି । ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। କେବଳ ଏତିକି ନୁହେଁ ମାପ ଓ ଓଜନରେ ବି ଠକେଇ ହେଉଛି ।

Advertisment
  • ଓଡିଶା ବଜାରରେ ନକଲି ସୁନା
  • ଅଣ-ହଲମାର୍କ ସୁନା ବିକୁଛନ୍ତି ଦୋକାନୀ

ରାଜ୍ୟରେ ନକଲି ସୁନା  ବିକ୍ରିହେଉଥିବା ନେଇ  ବିଧାନସଭାରେ  ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ  ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ତାଙ୍କ କହିବା ମୁତାବକ  ଦୋକାନୀ ଓ ବ୍ୟବସାୟୀ  ନକଲି ସୁନା ବିକିବା ସହ ମାପ ଓ ଓଜନରେ ଠକେଇ କରୁଛନ୍ତି ।  ନକଲି ସୁନା ବିକ୍ରି କରୁଥିବା ୫ ଅଳଙ୍କାର ଦୋକାନ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ। ନକଲି ହଲମାର୍କ ପାଇଁ ଏକ ସୁନା ଦୋକାନ ବିରୋଧରେ କୁଚିଣ୍ଡା କୋର୍ଟରେ ମାମଲା ପଞ୍ଜିକୃତ ହୋଇଛି। ଜଗତସିଂହପୁର, ପୁରୀ, ସମ୍ବଲପୁର ଏବଂ ବରଗଡ଼ର ୪ଟି ସୁନା ଦୋକାନର ଲାଇସେନ୍ସ ବାତିଲ କରାଯାଇଛି। 

ସେହିପରି ୨୦୨୨-୨୩ରେ ମାପକରେ ତ୍ରୁଟି ଯୋଗୁଁ ୬ଟି ମାମଲା ରୁଜ୍ଜୁ କରାଯାଇଛି। ମାପରେ ତ୍ରୁଟି କରୁଥିବା ଦୋକାନିଙ୍କଠାରୁ ୨୩ ହଜାର ୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ୨୦୨୩-୨୪ରେ ୬ଟି ମାମଲା ରୁଜ୍ଜୁ କରାଯାଇ ୧ ଲକ୍ଷ ୫୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ୨୦୨୪-୨୫ ନମଭେମ୍ବର ସୁଦ୍ଧା ୪ଟି ମାମଲା ରୁଜୁ ହୋଇ ୪୮ ହଜାର ଟଙ୍କା ।

ବଜାରରେ ସୁନାର ଚାହିଦା ସବୁବେଳେ ରହିଆସିଛି । କିନ୍ତୁ ନକଲି-ହଲମାର୍କ  ସୁନା ବିକ୍ରି ହେଉଛି ବୋଲି  ସରକାର ସ୍ବୀକାର କରିବା ପରେ ଗ୍ରାହକ ଦ୍ବନ୍ଦ୍ୱରେ ପଡିଛନ୍ତି । ଅନେକ ସ୍ଥାନରେ ନକଲି ସୁନା ବିକ୍ରି ହେଉଛି । ତେବେ ଅସଲି ସୁନା ଜାଣିବେ କିପରି?

  • ହଲମାର୍କ ଦେଖି ସୁନା କିଣନ୍ତୁ
  • ମାନ ଜାଣିବା ପାଇଁ BIS CARE ଆପ୍ ରହିଛି
  • ସୁନାରେ HUID, ହଲମାର୍କ ୟୁନିକ ଆଇଡେଣ୍ଡିଫିକେସନ  ୬ଡିଜିଟ ନମ୍ବର ରହିଛି
  • ଏହି ନମ୍ବର ଆପରେ ଦେଲେ ଅସଲି କି ନକଲି ଜାଣିପାରିବେ
  • ଏଥିପାଇଁ ଦୋକାନରେ କାଉଣ୍ଟର ରହିବା ଦରକାର
  • ଗ୍ରାହକ ସଚେତନ ହେବା ବି ଜରୁରୀ

ରାଜ୍ୟର ସୁନାଗହଣା ଦୋକାନଗୁଡିକରେ ମାପରେ ତ୍ରୁଟି କରାଯାଇ ଗ୍ରାହଣ ଶୋଷଣ କରାଯାଉଥିବା ଅଭିଯୋଗ ବାରମ୍ୱାର ଆସୁଛି  । ତେଣୁ ସରକାର ବି କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।