କନକ ବ୍ୟୁରୋ: ଆଜି ପ୍ରଭୁ ଶ୍ରୀ ବିଘ୍ନ ବିନାଶକଙ୍କ ପୂଜା । କେଉଁଠି ଶାସ୍ତ୍ର ଓ ପୌରାଣିକ ଆଧାରରେ ପୂଜା କରାଯାଏ, ତ ଆଉ କେଉଁଠି ସ୍ଥାନ ଅନୁସାରେ ଭଗବାନ ଗଣେଶଙ୍କୁ ଆବାହନ କରାଯାଏ । ହେଲେ ସାକ୍ଷୀଗୋପାଳରେ ହେଉଥିବା ଗଣେଶ ପୂଜାକୁ ନେଇ ପୂରା ପୁରୀ ଜିଲ୍ଲାରେ ଚର୍ଚ୍ଚା  । ଜାଣିଛନ୍ତି କି…ସାକ୍ଷୀଗୋପାଳ ମନ୍ଦିରରେ କେତୋଟି ଗଣେଶ ବିଗ୍ରହ ଅଛନ୍ତି ଓ ଶ୍ରୀବିଗ୍ରହଙ୍କୁ କେଉଁ କେଉଁ ନାମରେ ପୂଜାର୍ଚ୍ଚନା କରାଯାଏ ? 

Advertisment

ଆପଣମାନେ ଜାଣିଛନ୍ତି କି , ସାକ୍ଷୀଗୋପାଳରେ ମୁଖ୍ୟତଃ ଦୁଇଟି ଗଣେଶ ବିଗ୍ରହଙ୍କୁ ପୂଜା କରାଯାଇଥାଏ । ଆଦ୍ୟ ଗଣେଶ ଓ (ଗୁଡିଆ ଗଣେଶ ବା ଭଣ୍ଡ ଗଣେଶ) । ଯେଉଁ ବିଗ୍ରହଙ୍କୁ ଗୁଡିଆ ଗଣେଶ କୁହନ୍ତି କେହି କେହି ସମାନ ବିଗ୍ରହଙ୍କୁ ଭଣ୍ଡ ଗଣେଶ ମଧ୍ୟ କୁହନ୍ତି ।

ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିବା ମାତ୍ରେ ଗୁମୁଟ (ପ୍ରଥମ ମନ୍ଦିର)ରେ ଯେଉଁ ଗଣେଶ ବିଗ୍ରହ ବିରାଜମାନ କରିଛନ୍ତି ତାଙ୍କୁ ଆଦ୍ୟ ଗଣେଶ କୁହାଯାଏ । ମନ୍ଦିର ଆବାହନ କାଳରୁ ଏହି ବିଗ୍ରହଙ୍କୁ ଏଠାରେ ପୂଜା କରାଯାଉଛି ।  ସେଥିପାଇଁ ନାମ ମଧ୍ୟ ରଖାଯାଇଛି ଆଦ୍ୟ ଗଣେଶ । ଗଣେଶ ପୂଜା ଦିନ ଆଦ୍ୟ ଗଣେଶଙ୍କ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ । ନୂତନ ବସ୍ତ୍ର ଓ ନଡ଼ିଆ ଦିଆଯାଇ ପୂଜା କରାଯିବା ସହିତ ୧୦୮ ରାଶି କୋରା ଭୋଗ କରାଯାଏ ।

ଏହି ମନ୍ଦିରରେ ପୂଜା ପାଉଥିବା ଗୁଡ଼ିଆ ଗଣେଶ, ମନ୍ଦିର ସହ ଜଡିତ ଗୁଡିଆମାନଙ୍କର କୁଳଦେବତା । ସମଗ୍ର ପୁରୀ ଜିଲ୍ଲାର ସମସ୍ତ ଗୁଡିଆ ସଂପ୍ରଦାୟ ମିଳିମିଶି ସାକ୍ଷୀଗୋପାଳ ମନ୍ଦିରରେ ଯେଉଁ ଗଣେଶଙ୍କୁ ପ୍ରତିଷ୍ଠା କରିଥିଲେ ତାଙ୍କୁ ଗୁଡିଆ ଗଣେଶ କୁହାଯାଏ  ।  ଏହି ବିଗ୍ରହଙ୍କୁ କେହିକେହି ଭଣ୍ଡ ଗଣେଶ ମଧ୍ୟ କହିଥାନ୍ତି । ସାକ୍ଷୀଗୋପାଳ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ମନରେ ଯଦି ପବିତ୍ରା ନ ଥାଏ,  ମନରେ କିଛି ମନ୍ଦ ଉଦ୍ଦେଶ୍ୟ ରଖିଥିଲେ ଏହି ଗଣେଶଙ୍କୁ ଦର୍ଶନ କରିବା ଦ୍ୱାରା ଖରାପ ଚିନ୍ତାଧାରାକୁ ଭୁଲି ସକରାତ୍ମକ ଭାବନା ଜାଗ୍ରତ ହୁଏ । ଭକ୍ତଙ୍କ ମନକୁ ଭଣ୍ଡାଇ ଦେଉଥିବାରୁ କେହିକେହି ଏହି ବିଗ୍ରହଙ୍କୁ ଭଣ୍ଡ ଗଣେଶ ମଧ୍ୟ କହନ୍ତି ।  ଗଣେଶ ପୂଜାଦିନ ଗୁଡ଼ିଆ ଗଣେଶଙ୍କୁ ଗୁଡିଆ କୂଳ ପକ୍ଷରୁ ନୂତନ ବସ୍ତ୍ର ଓ କୋରା ଭୋଗ କରାଯାଏ ।  ସାକ୍ଷୀଗୋପାଳ ମନ୍ଦିରରେ ଥିବା ଗଣେଶ ମନ୍ଦିରରେ ଏହି ଦିନ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ସହ କଦଳୀ ଗଛ ଓ ଆମ୍ବଡ଼ାଳ ଆଦି ବାନ୍ଧି ମନ୍ଦିରକୁ ସଜାଯାଏ । ଏହି ଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ ଲାଗିରୁହେ ଏଠାରେ ।