କନକ ବ୍ୟୁରୋ: ଆସାମର ସିଲଚରରେ ବାସ୍ତବରେ ଦେଖିବାକୁ ମିଳିଛି ’ ମୁନ୍ନାଭାଇ ଏମବିବିଏସ୍’ ଙ୍କ ଘଟଣା । ଡାକ୍ତରୀ ଯୋଗ୍ୟତା ନଥାଇ ୫୦ରୁ ଅଧିକ ପ୍ରସୂତିଙ୍କ ସିଜେରିଆନ୍ ଅପରେସନ୍ କରିଥିବା ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୁଲିସ ।
ଅଭିଯୁକ୍ତ ପୁଲକ ମାଲାକାର ସିଲଚରର ଦୁଇଟି ଘରୋଇ ହସ୍ପିଟାଲରେ କାମ କରୁଥିଲେ । ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଜଣାଶୁଣା ଥିଲେ । ନିକଟରେ ଏକ ଘରୋଇ ହସ୍ପିଟାଲରେ ସି ସେକ୍ସନ୍ ସର୍ଜରୀ କରୁଥିବାବେଳେ ଚଢ଼ଉ କରି ତାଙ୍କୁ ଗିରଫ କରିଛି ପୁଲିସ । ଯାଞ୍ଚ କରିବା ବେଳେ ତାଙ୍କର ସବୁ ସତ ସାମ୍ନାକୁ ଆସିଥିଲା । ତାଙ୍କ ସବୁ ଜାଲ ସାର୍ଟିଫିକେଟ୍ ଜବତ କରିଛି ପୁଲିସ ।
ଆସାମ ଶ୍ରୀଭୂମିରେ ରହୁଥିବା ନକଲି ଡାକ୍ତର ମାଲାକାରଙ୍କୁ ସ୍ଥାନୀୟ ଆଦଲତରେ ହାଜର କରାଯାଇ ୫ ଦିନିଆ ପୁଲିସ ହେଫାଜତକୁ ପଠାଯାଇଛି । ନକଲି ଡାକ୍ତରଙ୍କୁ ନେଇ ରାଜ୍ୟରେ ବାରମ୍ବାର ଅଭିଯୋଗ ଆସିବା ପରେ ସେମାନଙ୍କୁ ଠାବ କରିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିଲା ଆଣ୍ଟି କ୍ବାକରୀ ସେଲ୍ ।ଏହି ଅଭିଯାନରେ ଧରାପଡ଼ିଛନ୍ତି ପୁଲକ ମାଲାକର ।