କନକ ବ୍ୟୁରୋ: ଆଗରୁ  ନକଲି ଡାକ୍ତର, ଶିକ୍ଷକ, ପୋଲିସ ଏପରିକି ନକଲି ଆଇପିଏସ୍ , ଆଇଏଏସ୍ ଅଧିକାରୀଙ୍କ କଥା ଶୁଣିଥିବେ । ହେଲେ ଏବେ ନକଲି ଜଜ୍ ବି ବାହାରିଲେଣି । ନକଲି କୋର୍ଟକୁ ନକଲି ଜଜ୍, ନକଲି ଓକିଲ, ସବୁ ନକଲି ହେଲେ ମାମଲା ଅସଲି । ଆଉ କୋଟିକୋଟି କରି ପାଖାପାଖି ୧୦୦ କୋଟିର ଜମି ହଡପ । ଏଭଳି ଘଟଣା ଘଟିଛି ଗୁଜୁରାଟ ଅହମଦାବାଦରେ, ଯେଉଁଠି ଜଣେ ଓକିଲ ନକଲି ଜଜ୍ ହୋଇ ଶହଶହ ମାମଲାର ବିଚାର କରୁଥିଲା । ଆଉ ଲୋକଙ୍କୁ ଭାରି ସହଜରେ ଠକୁଥିଲା । ହେଲେ ସବୁଠୁ ଆଶ୍ୱର୍ଯ୍ୟର କଥା ହେଉଛି ଏସବୁ ଘଟଣା ଅହମଦାବାଦ ସିଭିଲ ସେସନ୍ସ କୋର୍ଟ ସାମନାରେ ଘଟୁଥିଲେ ବି ବର୍ଷ ବର୍ଷ ଧରି କେହି ବି ଏହାର ଟେର୍ ପାଉନଥିଲେ ।

Advertisment

ନକଲି ଜଜ୍ ସାଜିଥିବା ଏ ଲୋକ ଜଣକ ହେଉଛି ମରିସ୍ ସାମୁଏଲ ଖ୍ରୀଷ୍ଟିଆନ୍ । ୩୭ ବର୍ଷିୟ ସାମୁଏଲ ପେଶାରେ ଜଣେ ଓକିଲ  । କିନ୍ତୁ କଥାରେ କୁହନ୍ତିନି ମନ୍ଦ ବୁଦ୍ଧି ଯେତେବେଳେ ମୁଣ୍ଡରେ ପଶେ , କିଛି ଭଲ ବାଟ ଦେଖାଯାଏନି । ବାସ୍ ଓକିଲାତି ବୁଦ୍ଧିକୁ ଲଗାଇ କୋଟିପତି ହେବାର ନିଶା ସାମୁଏଲକୁ ନକଲି ଜଜ୍ ବନାଇଦେଲା । ନକଲି ଜଜ୍ ହୋଇ ମହକିଲଙ୍କ ମାମଲା ବିଚାର କଲା । ମଜାଦାର କଥା ହେଉଛି ସାମୁଏଲ ବିବାଦୀୟ ଜମିଜମା ମାମଲାକୁ ଟାର୍ଗେଟ କରୁଥିଲା । ଆଉ ଏଥିରୁ କିଛି କେସକୁ ମିଛ କ୍ଲୁ ଦେଖାଇ ଖାରଜ୍ କରୁଥିବାବେଳେ ଅନେକ ମାମଲାକୁ ନିଜ ପକ୍ଷରେ ନେଇ ଶୁଣାଣି କରୁଥିଲା । ଆଉ ମହକିଲଙ୍କ ଅଜାଣତରେ ଜମିକୁ ନିଜ ନାଁରେ କରିନେଉଥିଲା । ଏଭଳି ୧୦ରୁ ଅଧିକ ମାମଲାରେ କୋଟିକୋଟି ଟଙ୍କା ବହୁମୂଲ୍ୟ ସମ୍ପତ୍ତିକୁ ନିଜ ନାଁରେ କରିଥିଲା ସାମୁଏଲ । 

ଘଟଣା ଧରାପଡିଲା କିପରି?

ସାମୁଏଲ ପ୍ରଥମେ ପତା ଲଗାଉଥିଲା କେଉଁ ଜମି ମାମଲା ଗୁଡିକ ସିଭିଲ କୋର୍ଟରେ ପେଣ୍ଡିଙ୍ଗ ରହିଛି । ମିଛ ଓକିଲଙ୍କୁ ଦଲାଲ ଭାବେ ଲଗାଇ ମହକିଲଙ୍କୁ ନିଜ ପାଖକୁ ଆଣୁଥିଲା । ସେମାନଙ୍କୁ ଗାନ୍ଧୀନଗର ସ୍ଥିତ ନିଜ ଅଫିସକୁ ନେଉଥିଲା । ନିଜ ଅଫିସକୁ ପୁରା କୋର୍ଟ ଭଳି ଡିଜାଇନ୍ କରିଥିଲା । ସେଠାରେ ଥିଲେ ଓକିଲ ବେଶଧାରୀ ଆଉ କିଛି ବ୍ୟକ୍ତି । ଯେପରି ମହକିଲଙ୍କୁ ଘଟଣା ଓ ପରିବେଶ ପୁରା ସତ ଭଳି ଲାଗିବ । ହେଲେ ଚୋର ଘର ତ ସବୁବେଳେ ଅନ୍ଧାର ରୁହେନି । ଥରେ ଏଭଳି ଏକ ଜମି ମାମଲାର ବିଚାର କରୁଥିଲା ସାମୁଏଲ ଯାହା ତା’ର ପୁରା ପର୍ଦ୍ଦାଫାସ୍ କରିଦେଇଥିଲା । 

୨୦୧୯ରେ ସାମୁଏଲ ଏପରି ଏକ ବିବାଦୀୟ ଜମି ମାମଲାର ବିଚାର କରିଥିଲା, ଯାହା ଜିଲ୍ଲା କଲେକ୍ଟରଙ୍କ ଅଧିନରେ  ଥିଲା । ଏହାକୁ ମଧ୍ୟ ସାମୁଏଲ ଟ୍ରିବ୍ୟୁନାଲ ଅଧିକାରୀ ଭାବେ ନିଜ ପକ୍ଷରେ ଶୁଣାଣି କରିଥିଲା । କିନ୍ତୁ ଘଟଣା କ୍ରମରେ ଏହାକୁ ନେଇ ସନ୍ଦେହ କରିଥିଲେ ଅହମଦାବାଦ୍ ସିଟି ସିଭିଲ କୋର୍ଟର ରେଜିଷ୍ଟ୍ରାର ହରଦିକ୍ ଦେଶାଇ । ସେ ଏନେଇ କରଞ୍ଜ ପୋଲିସ ଷ୍ଟେସନରେ ଏପଆଇଆର ଦାଏର କରିଥିଲେ । ଏହି FIR ଆଧାରରେ ସିଟି ସିଭିଲି କୋର୍ଟ ଜଜ୍ ଘଟଣାର ତଦନ୍ତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଲେ । ସାମୁଏଲ କରିଥିବା କୋର୍ଟର ସବୁ କମ୍ପ୍ୟୁଟର, ସିପିୟୁ, ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ତନାଘନା କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ଆଉ ଧରାପଡିଥିଲା ସାମୁଏଲର ଅସଲ ଚେହେରା । ଏବେ ପୋଲିସ ସାମୁଏଲକୁ ଗିରଫ କରି ତଦନ୍ତ ଚଳାଇଛି । 

ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ , ବର୍ଷେ ଦି ବର୍ଷ ନୁହେଁ ୫ ବର୍ଷ ଧରି ନକଲି କୋର୍ଟରେ ଜଣେ ନକଲି ଜଜ୍ ସାଜି ଲୋକଙ୍କୁ ଠକି ଆସୁଥିଲା । ହେଲେ କେହି ଜାଣିପାରୁନଥିଲେ କିପରି?