କନକ ବ୍ୟୁରୋ: ଚାକିରି ପାଇବା ପାଇଁ ସାକ୍ଷାତକାର ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୋପାନ । କିନ୍ତୁ କଳ୍ପନା କରନ୍ତୁ, ଯଦି ଆପଣ ସାକ୍ଷାତକାରରେ ବିଫଳ ହେବା ସତ୍ତ୍ୱେ କମ୍ପାନୀର CEOଙ୍କ ସୁପାରିସରେ ଚାକିରି ପାଆନ୍ତି, ତେବେ କ'ଣ ହେବ ? ଏହା ଶୁଣିବାକୁ ଭଲ ଲାଗୁଥିଲେ ମଧ୍ୟ ଜଣେ ବ୍ୟକ୍ତିଙ୍କ ପାଇଁ ଏହି ଅନୁଭୂତି ଅତ୍ୟନ୍ତ ପୀଡାଦାୟକ ହୋଇଛି । ସେ ନିଜର ଏହି କାହାଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡ୍ଡିଟରେ ବର୍ଣ୍ଣନା କରିଛନ୍ତି, ଯାହା ଏବେ ଭାଇରାଲ ହେବାରେ ଲାଗିଛି । ବ୍ୟକ୍ତି ଜଣକ ଏକ କମ୍ପାନୀରେ ଚାକିରି ପାଇଁ ଆବେଦନ କରିଥିଲେ । ତାଙ୍କର ସାକ୍ଷାତକାର ମଧ୍ୟ ହୋଇଥିଲା, କିନ୍ତୁ ସେଥିରେ ସେ ବିଫଳ ହେଲେ । ସାକ୍ଷାତକାର ନେଇଥିବା ମ୍ୟାନେଜର ତାଙ୍କୁ ସିଧାସଳଖ ମନା କରିଦେଇଥିଲେ । ହେଲେ, ଭାଗ୍ୟରେ କିଛି ଅଲଗା ଲେଖାଥିଲା । ସେହି କମ୍ପାନୀର CEO ଥିଲେ ତାଙ୍କ ପରିବାରର ଜଣେ ବନ୍ଧୁ । ଯେତେବେଳେ CEO ଜଣକ ଏହି ବିଷୟରେ ଜାଣିଲେ, ସେ ହସ୍ତକ୍ଷେପ କଲେ ଏବଂ ନିଜର କ୍ଷମତା ବ୍ୟବହାର କରି ସେହି ବ୍ୟକ୍ତିଙ୍କୁ ଚାକିରି ଦେଇଦେଲେ । ଚାକିରି ମିଳିଯିବାର ଖୁସି ବେଶି ଦିନ ରହିଲା ନାହିଁ ।
ଯେଉଁ ମ୍ୟାନେଜର ତାଙ୍କୁ ରିଜେକ୍ଟ କରିଥିଲେ, ଏବେ ତାଙ୍କୁ ସେହି ମ୍ୟାନେଜରଙ୍କ ଅଧୀନରେ ହିଁ କାମ କରିବାକୁ ପଡ଼ିଲା । ଏହା ପରଠାରୁ ଅଫିସରେ ତାଙ୍କ ପାଇଁ ଏକ ଅପ୍ରୀତିକର ପରିବେଶ ସୃଷ୍ଟି ହେଲା । ବ୍ୟକ୍ତିଙ୍କ କହିବା ଅନୁଯାୟୀ, ତାଙ୍କ ମ୍ୟାନେଜର ଏବଂ ସହକର୍ମୀମାନେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଛନ୍ତି । ତାଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଦିଆଯାଉ ନାହିଁ କିମ୍ବା କୌଣସି ମିଟିଂରେ ସାମିଲ କରାଯାଉ ନାହିଁ । ଯେତେବେଳେ ସେ କାହା ସହିତ କଥା ହେବାକୁ ଚେଷ୍ଟା କରନ୍ତି, ତାଙ୍କୁ ଅଣଦେଖା କରାଯାଏ କିମ୍ବା ଅଧା କଥାରେ କଥା କାଟି ଦିଆଯାଏ । ଏପରିକି ତାଙ୍କ ଉପସ୍ଥିତିକୁ ମଧ୍ୟ କେହି ଗୁରୁତ୍ୱ ଦିଅନ୍ତି ନାହିଁ, ଯେମିତି ସେ ସେଠାରେ ନାହାନ୍ତି । ଏହି ଘଟଣା ତାଙ୍କୁ ମାନସିକ ସ୍ତରରେ ଭାଙ୍ଗି ଦେଇଛି । ସେ କହିଛନ୍ତି, "ମୋତେ ଲାଗୁଛି ଯେମିତି ମୁଁ ଅଦୃଶ୍ୟ ହୋଇଯାଇଛି । ମୁଁ ପ୍ରତିଦିନ ଅଫିସ ଯାଉଛି, କିନ୍ତୁ ମୋ ପାଇଁ କୌଣସି କାମ ନାହିଁ ।
ଏହି ନିରବତା ଏବଂ ଅବହେଳା ମୋତେ ଭିତରୁ ଖାଇଯାଉଛି ।" ସେ ଏହି ସମସ୍ୟା ବିଷୟରେ କାହାକୁ କହିପାରୁ ନାହାନ୍ତି କାରଣ ତାଙ୍କୁ ଲାଗୁଛି ଯେ କେହି ତାଙ୍କ କଥା ବିଶ୍ୱାସ କରିବେ ନାହିଁ । CEOଙ୍କ ସୁପାରିସରେ ଚାକିରି ପାଇଥିବାରୁ ସମସ୍ତେ ଭାବୁଛନ୍ତି ଯେ ସେ ଅଯୋଗ୍ୟ । ସୋସିଆଲ ମିଡିଆରେ ତାଙ୍କ ପୋଷ୍ଟକୁ ନେଇ ଅନେକ ଲୋକ ନିଜର ମତାମତ ଦେଇଛନ୍ତି । କିଛି ଲୋକ ତାଙ୍କୁ ସମବେଦନା ଜଣାଇଥିବା ବେଳେ, ଆଉ କିଛି ଲୋକ କହିଛନ୍ତି ଯେ ସୁପାରିଶରେ ଚାକିରି ପାଇବାର ପରିଣାମ ଏପରି ହିଁ ହୋଇଥାଏ । ତେବେ ଏହି ଘଟଣା କର୍ମକ୍ଷେତ୍ରରେ ସୁପାରିଶ ଏବଂ ଯୋଗ୍ୟତାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।