କନକ ବ୍ୟୁରୋ : ପ୍ରବଳ ବର୍ଷାରେ ଝାରସୁଗୁଡ଼ା ସହରରେ ଥିବା ଓଡ଼ିଶା ମେଟାଲିକ୍ସ କାରଖାନାର ଧସିଯାଇଛି ବର୍ଜ୍ୟ ପାହାଡ଼ । ଯାହା ଏକର ଏକର ଚାଷ ଜମିରେ ମାଡ଼ିଯିବା ସହ ପାଖ ଦେଇ ପ୍ରବାହିତ ନାଳକୁ ପ୍ରଦୂଷିତ କରିଥିବା ଅଭିଯୋଗ ହୋଇଛି । ବର୍ଷା ବିତ୍ପାତ ଯୋଗୁଁ ଶିଳ୍ପ ବର୍ଜ୍ୟଜନିତ କ୍ଷତିର ଭରଣା କିପରି ହେବ ବୋଲି ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ ।
ଝାରସୁଗୁଡ଼ା ବୁଢ଼ୀପଦରସ୍ଥିତ ଓଡ଼ିଶା ମେଟାଲିକ୍ସ କାରଖାନା ପକ୍ଷରୁ ସିଂହାବଗାକୁ ଯାଇଥିବା ନାଳ କଡ଼ରେ ଅସ୍ଥାୟୀ ସିମେଣ୍ଟ ପାଚେରୀ କରାଯାଇଛି । ତା’ ଭିତରେ ଅଛି ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ବର୍ଜ୍ୟବସ୍ତୁ ଓ ପାଉଁଶ । ଲଗାଣ ବର୍ଷାରେ ଭାଙ୍ଗି ଯାଇଛି ପାଚେରି । ଧସି ଯାଇଛି ବର୍ଜ୍ୟ ପାହାଡ଼ । ପାଉଁଶ ମିଶା ବର୍ଜ୍ୟ ପାଣି ବୋହି ଜମେରା ମୌଜାର ଏକର ଏକର ଜମିରେ ମାଡ଼ିଯାଇଛି । ଜିଲ୍ଲାରେ ମୋଟ ୫୬୯ ହେକ୍ଟର ଫସଲ ନଷ୍ଟ ହୋଇଛି । ନାଳ ପାଣି ବି ଲାଲ୍ ହୋଇଯାଇଛି ।
ଝାରସୁଗୁଡ଼ା ସଦର ବ୍ଲକରେ ପାଉଁଶ ପାଣି ମାଡ଼ିଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । କ୍ଷୟକ୍ଷତି ସମ୍ବନ୍ଧରେ ରାଜସ୍ୱ ବିଭାଗ ଓ କୃଷି ବିଭାଗ ମିଳିତ ଭାବେ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଛନ୍ତି । ସେପଟେ ଏହାର ସ୍ଥାୟୀ ସମାଧାନ ଦାବି କରିଛନ୍ତି ଚାଷୀ । କେଉଁ ପରିସ୍ଥିତିରେ ପାଉଁଶ ପାହାଡ଼ ଧସିଲା ? ତା’ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି । କାରଖାନା ନାଳ କଡ଼ରେ କେବଳ ବର୍ଜ୍ୟ ପାହାଡ଼ କରିଛି ତା’ନୁହେଁ, ପାଉଁଶ ପରିଚାଳନା ପାଇଁ ନାଳ ଉପରେ ବେଆଇନ ଭାବେ ଏକ କଲଭର୍ଟ କରିଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକ ଜଣାଇବା ପରେ ବି କମ୍ପାନି କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଆସୁନାହାନ୍ତି କି କିଛି ଦେଖୁନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।