କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲାର ଚିନ୍ତା ବଢ଼ାଉଛି ପାଉଁଶ ଗୁଣ୍ଡ । ଦିନରେ ନୁହେଁ ରାତି ଅଧରେ ସହର ଭିତର ରାସ୍ତାରେ ହେଉଛି ପାଉଁଶ ଗୁଣ୍ଡ ଅନଲୋଡିଂ । ଯାହାକୁ ନେଇ ସୁନ୍ଦରଗଡ଼ବାସୀଙ୍କ ଭିତରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା । ବିଭିନ୍ନ ପାୱାର ପ୍ଲାଣ୍ଟରେ କୋଇଲା ଜଳିବା ପରେ କେମିକାଲ ଯୁକ୍ତ ପାଉଁଶ ବାହାରେ । ତାକୁ କେଉଁଠି, କେମିତି ପକାଯିବ ତାକୁ ନେଇ ରହିଛି ସରକାରଙ୍କ କଡ଼ା ଗାଇଡଲାଇନ୍ । ଜନବସତିରୁ ବହୁ ଦୂରରେ ପାଉଁଶ ଗୁଣ୍ଡ ପକାଇବାକୁ ନିୟମ ରହିଛି । ହେଲେ ସୁନ୍ଦରଗଡ଼ ସହରରେ ଏସବୁ ନିୟମକୁ ବେଖାତିର କରିଚାଲିଛି ପାଉଁଶ ଡମ୍ପିଂ । ସହର ଓ ଆଖପାଖ ଅଞ୍ଚଳର ରାସ୍ତାକଡ଼ ଓ ଚାଷ ଜମିରେ ପାଉଁଶ ଗୁଣ୍ଡ ପଡ଼ୁଥିବା ଅଭିଯୋଗ ହୋଇଛି ।

Advertisment

ସୁନ୍ଦରଗଡ଼ ଏନ୍‌ଟିପିସି ଦର୍ଲିପାଲି ଆଶ୍‌ ପଣ୍ଡରୁ ପାଉଁଶ ବାହାରି ଯାଜପୁରର ଜାତୀୟ ରାଜପଥ କାମ ପାଇଁ ଯିବା କଥା । ହେଲେ ରାତି ଅଧରେ ଗାଡ଼ିରୁ ଜିପିଏସ୍‌ ମେସିନ୍‌ କାଢ଼ି ପାଉଁଶ ଗୁଣ୍ଡକୁ ସୁନ୍ଦରଗଡ଼ ସହର ଓ ଆଖପାଖରେ ପକାଇ ମାଫିଆ ଫେରାର ମାରୁଥିବା ଅଭିଯୋଗ ଆସିଛି । ଅନ୍ୟପଟେ ଏହି ଘଟଣାକୁ ସ୍ୱୀକାର କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶ୍ରୁତି ଦେଇଛନ୍ତି ସୁନ୍ଦରଗଡ ଉପଜିଲ୍ଲାପାଳ । ତେବେ ଅନ୍ଧାର ରାତିରେ ପାଉଁଶ ବେପାର ବାବଦରେ ଜାଣିପାରୁନି ପ୍ରଶାସନ? ମାଫିଆଙ୍କୁ କିଏ ଦେଉଛି ପ୍ରୋତ୍ସାହନ ଓ ସୁରକ୍ଷା? ପ୍ରଶାସନ ପାଖରୁ ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ସୁନ୍ଦରଗଡ଼ ବାସିନ୍ଦା ।