କନକ ବ୍ୟୁରୋ: ବିଧାନସଭାରେ ମୁହାଁମୁହିଁ ହେଲେ ଦୁଇ ରାଜା । ଜଣେ ରାଜା ସ୍ୱାଇଁ ଆଉ ଅନ୍ୟ ଜଣେ ପାଟଣାଗଡ଼ ରାଜା ତଥା ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ଆଜି ବିଧାନସଭାରେ ଏହି ଦୁଇ ନେତାଙ୍କ ଭିତରେ କଥା କଟାକଟି ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ଶୀତଳ ଭଣ୍ଡାର ଆଉ ସାର ପ୍ରସଙ୍ଗରେ ସରକାରକୁ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଉ ଏହି ପ୍ରସଙ୍ଗରେ ପୂର୍ବ ସରକାରକୁ ଟାର୍ଗେଟ୍ କରିଥିଲେ ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ।

Advertisment

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶ୍ନ କରିଥିଲେ ଯେ, ଯେଉଁ ସରକାର ସାର ଯୋଗାଇ ପାରିଲେନି, ସେ ସରକାର ଶୀତଳ ଭଣ୍ଡାର କେମିତି କରିବେ? ଏହାର ଉତ୍ତର ରଖି ଓଲଟି ରାଜା ସ୍ୱାଇଁଙ୍କ ଉପରେ ଦୋଷ ଲଦିଥିଲେ କେଭି ସିଂହ ଦେଓ । କହିଥିଲେ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜେ କୃଷି ମନ୍ତ୍ରୀ ଥିବା ବେଳେ ଶୀତଳ ଭଣ୍ଡାର କଲେନି, ହେଲେ ଆମ ସରକାର ଶୀତଳ ଭଣ୍ଡାର କରିବାକୁ ଚେଷ୍ଟା କଲା ବେଳେ ପ୍ରଶ୍ନ କରୁଛନ୍ତି ।

କେଭି ସିଂହ ଦେଓ ଆହୁରି ମଧ୍ୟ କହିଥିଲେ ଯେ, ଆମ ସରକାର ୨ ଲକ୍ଷ ମେଟ୍ରିକ ଟନରୁ ଅଧିକ ସାର ଚାଷୀଙ୍କୁ ଯୋଗାଇ ଦେଉଛୁ । ହେଲେ କୃତ୍ରିମ ଆନ୍ଦୋଳନ ସୃଷ୍ଟି କରାଯାଇଛି । ସାର ଆନ୍ଦୋଳନ ଯେଉଁଠି ହେଉଛି କେତେ ବିଧାୟକ ଯାଇକି ସମୀକ୍ଷା କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ଉପ ମୁଖ୍ୟମନ୍ତ୍ରୀ । ଏହାସହ ଆପଣଙ୍କ ସମୟରେ ଶୀତଳ ଭଣ୍ଡାର କଲେ ନାହିଁ ଆମେ କରିକି ଦେଖାଇବୁ ବୋଲି କହିବା ସହିତ ରାଜା ସ୍ୱାଇଁଙ୍କୁ ତେରେଛା ତୀର ମାରିଛନ୍ତି କେଭି ସିଂହ ଦେଓ ।