କନକ ବ୍ୟୁରୋ: ଏବେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଜାରି ରହିଛି ଦୁଇ ଟିକିଆ ଟେଷ୍ଟ ମ୍ୟାଚ୍‌ ସିରିଜ । ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହେବ । ଏହାପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ । ଅଷ୍ଟ୍ରେଲିଆ ସହ ୩ ଟିକିଆ ଦିନିକିଆ ମ୍ୟାଚ୍‌ ସିରିଜ୍ ଓ ୫ ଟିକିଆ ଟି-ଟ୍ୱେଣ୍ଟି ସିରିଜ୍ ଖେଳିବ ଭାରତ । ଅକ୍ଟୋବର ୧୯ ତାରିଖରୁ ଦିନିକିଆ ସିରିଜ ଆରମ୍ଭ ହୋଇଯିବ । ତେବେ ଦିନିକିଆ ସିରିଜ୍‌ରେ କିଏ ଅଧିନାୟକ ହେବ ତାହାରି ଉପରେ ନଜର ରହିବ । ଅର୍ଥାତ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ ଦାୟିତ୍ୱ ମିଳିବ ନା ଗିଲ୍‌ଙ୍କୁ ଦାୟିତ୍ୱ ମିଳିବ, ଏହାକୁ ନେଇ ଆଶା ଓ ଆକାଂକ୍ଷାରେ ରହିଛନ୍ତି ଭାରାତୀୟ କ୍ରିକେଟ ଫ୍ୟାନ୍ସ । ଏହାଛଡ଼ା ବିରାଟ କୋହଲି ଏହି ସିରିଜ ଖେଳିବ ନା ନାହିଁ ତାହା ଜାଣିବାକୁ ଅପେକ୍ଷା କରି ରହିଛନ୍ତି କ୍ରିକେଟ ପ୍ରଶଂସକ । 

Advertisment

ଅକ୍ଟୋବର ୧୯ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବ ଦିନିକିଆ ସିରିଜ । ପ୍ରଥମ ମ୍ୟାଚ୍‌ ପର୍ଥ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ସିରିଜରେ ରୋକୋ ଯୋଡ଼ିଙ୍କୁ ପୁଣି ଦେଖିବାକୁ ମିଳିବ ବୋଲି ଆଶା ବାନ୍ଧିଛନ୍ତି କ୍ରିକେଟ ପ୍ରଶଂସକ । ଚାମ୍ପୟନ୍ସ ଟ୍ରଫି ଜିତିବା ପରେ ବିରାଟ କୋହଲି ଓ ରୋହିତ ଶର୍ମା ଏତେଟା ଅନ୍ତର୍ଜାତୀୟ କ୍ରିକେଟ ଖେଳିନାହାନ୍ତି । ଉଭୟ ଚାମ୍ପିୟନ୍ସ ଟ୍ରଫିରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ । 

ତେବେ ବିନା କୌଣସି କାରଣରେ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଯିବ ନାହିଁ ବୋଲି କହିଛନ୍ତି ବିସିସିଆଇର ଜଣେ ଅଧିକାରୀ । ଯେତେବେଳେ ଯାଏଁ ସେ ନିଜେ କହି ନାହାନ୍ତି ଯେ ମୁଁ କେବଳ ବ୍ୟାଟର ଭାବରେ ଖେଳିବାକୁ ଚାହୁଛି । ସେତେବେଳେ ଯାଏ ଦଳର ଅଧିନାୟକ ଦାୟିତ୍ୱରେ ରହିବେ । କାରଣରେ ଦିନିକିଆରେ ରୋହିତ ଶର୍ମାଙ୍କ ରେକର୍ଡକୁ ଅଣଦେଖା କରିବା ସମ୍ଭବ ନୁହେଁ ।  

ସେପଟେ ଅଷ୍ଟ୍ରେଲିଆ ସିରିଜ ପାଇଁ ଶୁବମନ ଗିଲ୍‌ଙ୍କୁ ବିଶ୍ରାମ ମିଳିପାରେ । ଏହାକୁ ନେଇ କୌଣସି ଅଫିସିଆଲ ଘୋଷଣା ହୋଇନଥିଲେ ସୁଦ୍ଧା ଚର୍ଚ୍ଚା ଜୋର୍‌ ଧରିଛି । ୱାର୍କଲୋଡ୍‌ ମ୍ୟାନେଜମେଣ୍ଟ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନେଇପାରେ ବିସିସିଆଇ । କାରଣ ଏକ ବର୍ଷ ହେଲା ଲଗାତାର ସବୁ ଫର୍ମାଟ୍‌ ଖେଳି ଆସୁଛନ୍ତି ଟିମ୍‌ ଇଣ୍ଡିଆର ଟେଷ୍ଟ ଅଧିନାୟକ ଶୁବମନ ଗିଲ୍‌ । ଏଣୁ ତାଙ୍କୁ କିଛି ସମୟ ପାଇଁ ବ୍ରେକ୍‌ ମିଳିପାରେ ।
 
ରୋହିତ ଶର୍ମାଙ୍କ ସହ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ଉତ୍ସାହର ସହ ଚାହି ବସିଛନ୍ତି ଫ୍ୟାନ୍ସ । ଏବେ ଉଭୟ ଟେଷ୍ଟ କିମ୍ବା ଦିନିକିଆ ମ୍ୟାଚ୍‌ ଖେଳୁ ନାହାନ୍ତି । ତେଣୁ ଉଭୟଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଛକାଚୌକା ବର୍ଷା କରୁଥିବା ଦେଖିପାରନ୍ତି ଫ୍ୟାନ୍ସ । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଅକ୍ଟୋବର ୪ ତାରିଖରେ ଘୋଷଣା ହେବ ଟିମ୍‌ ଇଣ୍ଡିଆ । ତେଣୁ ଏଥର ଟିମ୍‌ରେ କାହାକୁ ସ୍ଥାନ ମିଳୁଛି ତାହା ଦେଖିବା ରୋଚକ ହେବ ନିଶ୍ଚୟ ।