କନକ ବ୍ୟୁରୋ: ଗାଁ ଗହଳିର ନିରୀହ ବୃଦ୍ଧବୃଦ୍ଧାଙ୍କ ଜୀବନ ସହ ସାଂଘାତିକ ଖେଳ। ନର୍ସିଂହୋମ୍‌ରେ ବେପାର ପାଇଁ ବୟୋଜ୍ୟେଷ୍ଠଙ୍କ ଜୀବନ ସହି ଖେଳୁଛନ୍ତି ଦଲାଲ । ଗାଁ ଗହଳିରେ ପଶି ବୃଦ୍ଧବୃଦ୍ଧାଙ୍କୁ ମିଛ କହି ସାଙ୍ଗରେ ନେଇ ଯାଉଛନ୍ତି । ଆଖି ଅପରେସନ୍‌ କରୁଛନ୍ତି । ଆଉ ତା’ପରେ ଗାଁ ପାଖରେ ଛାଡ଼ି ଚାଲିଯାଉଛନ୍ତି । ଏଭଳି ସାଂଘାତିକ ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଜଡ଼ିଦା ଗାଁରୁ । 

Advertisment

ଭଦ୍ରକର ଏକ ଘରୋଇ ନର୍ସିଂ ହୋମ୍‌ର ଦୁଇ ଜଣ ମହିଳା କପ୍ତିପଦା ଥାନା ଅନ୍ତର୍ଗତ ଜଡ଼ିଦା ଗାଁକୁ ଆସିଥିଲେ । କପ୍ତିପଦା ମେଡିକାଲରେ ମାଗଣାରେ ଆଖି ଅପରେସନ୍ କରାଇଦେବେ କହି ୯ ଜଣ ବୃଦ୍ଧବୃଦ୍ଧାଙ୍କୁ ସାଙ୍ଗରେ ନେଇଥିଲେ । ଏପରିକି ରାସ୍ତାରେ ଯାଉଥିବା ବରିଷ୍ଠ ନାଗରିକଙ୍କୁ ମଧ୍ୟ ମିଛ କହି ସାଥିରେ ନେଇଥିଲେ । ହେଲେ କପ୍ତିପଦାରେ ଚିକିତ୍ସା କରାଇନଥିଲେ । ପରେ ଉଦଳା ଏବଂ ଔପଦା ନେବେ ବୋଲି କହି ଭଦ୍ରକ ନେଇଯାଇଥିଲେ । ପରେ ସେମାନଙ୍କ ଅନିଚ୍ଛା ସତ୍ତ୍ୱେ ଭଦ୍ରକର ସଂପୃକ୍ତ ନର୍ସିଂହୋମ୍‌ରେ ଆଖି ଅପରେସନ୍‌ କରାଇଥିଲେ । ପରେ ସେମାନଙ୍କ ଟିପ ଚିହ୍ନ ନେଇ ଆୟୁଷ୍ମାନ କାର୍ଡକୁ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି । 

ନର୍ସିଂହୋମ୍‌ ବ୍ୟବସାୟ ପାଇଁ ବୟୋଜ୍ୟେଷ୍ଠଙ୍କ ଜୀବନ ସହ ଖେଳ
ଗଣମାଧ୍ୟମରେ ମୁହଁ ଖୋଲିବାକୁ ନାରାଜ ସଂପୃକ୍ତ ନର୍ସିଂହୋମ୍ କର୍ତ୍ତୃପକ୍ଷ

୩ ଜଣ ଏହାକୁ ବିରୋଧ କରିବାରୁ ସେମାନଙ୍କୁ ଅପରେସନ୍‌ କରିନଥିଲେ। ଜଳଧର ଖେଳପାଳିଆ ନାମକ ବୃଦ୍ଧଙ୍କ ଆଖି ଭଲ ଥିଲେ ମଧ୍ୟ ତାଙ୍କ ଆଖିକୁ ଅପରେସନ୍‌ କରିଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଅପରେସନ୍‌ ପରେ ସମସ୍ତଙ୍କୁ ଗୋଟିଏ ଗାଡ଼ିରେ ଗାଁକୁ ପଠାଇ ଦେଇଥିଲେ ନର୍ସିଂହୋମ କର୍ତ୍ତୃପକ୍ଷ। ଗ୍ରାମବାସୀ ଗାଡ଼ିଟିକୁ ଅଟକ ରଖିବା ପରେ ସାମ୍ନାକୁ ଆସିଛି ପୂରା ଘଟଣା । 

ସେପଟେ ଘଟଣା ସଂପର୍କରେ ନର୍ସିଂହୋମ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିଥିଲେ ଆମ ପ୍ରତିନିଧି । ହେଲେ ସେ ଗଣମାଧ୍ୟମ ନାମ ଶୁଣି କୌଣସି ଉତ୍ତର ନଦେଇ ଫୋନ୍‌ କାଟି ଦେଇଛନ୍ତି । ବୃଦ୍ଧବୃଦ୍ଧାଙ୍କୁ ସାଙ୍ଗରେ ନେଇଥିବା ମହିଳାଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ । ସେମାନେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଉ ନାହାନ୍ତି ।