କନକ ବ୍ୟୁରୋ: ଗ୍ଲୋବାଲ ଡେଟିଂ ପ୍ଲାଟଫର୍ମ ଆସ୍ଲେ ମାଡିସନ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପରକୀୟା ସମ୍ପର୍କରେ ଭାରତ ବିଶ୍ୱସ୍ତରରେ ଷଷ୍ଠ ସ୍ଥାନ ହାସଲ କରିଛି । ଛୋଟ ସହରଗୁଡ଼ିକ ମେଟ୍ରୋକୁ ପଛରେ ପକାଇ ଦେଇଥିବାରୁ ସମ୍ପର୍କ ଗତିଶୀଳତାରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ତାମିଲନାଡୁର କାଞ୍ଚିପୁରମ୍ ଆଶ୍ଚର୍ଯ୍ୟଜନକ ଭାବେ ଏଭଳି କ୍ଷେତ୍ରରେ ଦେଶର ଏକ ନମ୍ବର ସହର ଭାବେ ଉଭା ହୋଇଛି ।
୨୦୨୪ରେ ଏହା ୧୭ଶ ସ୍ଥାନରେ ଥିଲା । ଆସ୍ଲେ ମାଡିସନ୍ ସ୍ପଷ୍ଟ କରିଛି ଯେ ଏହି ମାନ୍ୟତା କେବଳ ନୂତନ ଉପଭୋକ୍ତା ପଞ୍ଜୀକରଣ ଉପରେ ଆଧାରିତ ନୁହେଁ, ବରଂ ଏଥିରେ ଉପଭୋକ୍ତାଙ୍କ ସମ୍ପୃକ୍ତି, ପ୍ଲାଟଫର୍ମରେ ବିତାଇଥିବା ସମୟ ଓ ଭାବ ଆଦାନପ୍ରଦାନର ସ୍ତର ମଧ୍ୟ ଅନ୍ତର୍ଭୁକ୍ତ ଅଛି । ଏହା ଚାଲୁ ରହିଥିବା ପରକୀୟା ସମ୍ପର୍କର ସୂଚକ । ଏହି ଧାରା ଆଉ ବଡ଼ ସହରରେ ସୀମିତ ନାହିଁ । ମୁମ୍ବାଇ ଭଳି ପାରମ୍ପରିକ ମେଟ୍ରୋ ହବ୍କୁ ପଛରେ ପକାଇ ଜୟପୁର, ଗାଜିଆବାଦ, ରାୟଗଡ଼ ଓ କାମରୂପ ଭଳି ଟାୟାର-୨ ସହର ଏହି ତାଲିକାରେ ସ୍ଥାନ ପାଇଛି । ପରକୀୟା ସଂପର୍କରେ ଶୀର୍ଷ ୨୦ଟି ଭାରତୀୟ ଜିଲ୍ଲା ମଧ୍ୟରୁ ୯ଟି ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳର, ଯେଉଁଥିରେ କେନ୍ଦ୍ରୀୟ ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା ଓ ଗାଜିଆବାଦ ଅନ୍ତର୍ଭୁକ୍ତ। ଏପ୍ରିଲରେ ପ୍ରକାଶିତ ଏକ ୟୁ-ଗଭ୍ ସର୍ଭେରେ ୫୩% ଭାରତୀୟ ଅଂଶଗ୍ରହଣକାରୀ ବିବାହୋତ୍ତର ସମ୍ପର୍କ ଥିବା ସ୍ୱୀକାର କରିଥିଲେ, ଯାହା ଭାରତ ଓ ବ୍ରାଜିଲକୁ ବିଶ୍ୱସ୍ତରରେ ଶୀର୍ଷରେ ରଖିଥିଲା ।
ତେବେ ଏହି ପରକୀୟା ପ୍ରୀତି ଯୋଗୁଁ ଅନେକ ଜୀବନ ବଳି ପଡ଼ୁଛି । କେଉଁଠି ପ୍ରେମିକ ପାଇଁ ସ୍ତ୍ରୀ ସ୍ବାମୀକୁ ମାରିଦେଉଛି ତ ଆଉ କେଉଁଠି ପ୍ରେମିକା ପାଇଁ ସ୍ବାମୀ ସ୍ତ୍ରୀକୁ ମାରିଦେଉଛି । ଖାଲି ଏତିକି ନୁହେଁ ପ୍ରେମିକ ପ୍ରେମରେ ପାଗଳ ହୋଇ ବାପା ନୀରିହ ପିଲାଙ୍କୁ ବାଟରୁ ହଟାଇବାକୁ ଜୀବନରୁ ମାରିଦେବାକୁ ପଛାଉନାହାଁନ୍ତି । ଚଳିତ ବର୍ଷ ଏଭଳି ଅନେକ ଘଟଣା ଖବର ସାଉଁଟିଛି ଯାହା ପରକୀୟା ପ୍ରୀତିର କରୁଣ ପରିଣତିକୁ ସ୍ପଷ୍ଟ କରିଛି ।