କନକ ବ୍ୟୁରୋ: ଶୁକ୍ରବାର ରାତିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାମ୍ନାକୁ ଆସିଛି କାଳବୈଶାଖୀର ଚିତ୍ର । ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର ଜିଲ୍ଲାରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ବର୍ଷା ହୋଇଛି । କେଉଁଠି ବଡ଼ବଡ଼ ଗଛ ଉପୁଡ଼ି ପଡ଼ିଛି, ତ ଆଉ କେଉଁଠି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି । ପୁଣି କେଉଁଠି ଗଛ ପଡ଼ି ଲାଇନ୍ କଟି ଯାଇଛି । ଅନେକ ସ୍ଥାନରେ ଲୋକଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ମୟୂରଭଞ୍ଜରେ ଦୁଇଦିନ ଧରି ତାଣ୍ଡବ ରଚିଛି କାଳବୈଶାଖୀ ।
ବର୍ଷାରେ ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା, କରଞ୍ଜିଆ ବ୍ଲକର ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି । ୩୫୦ଟି ମାଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ୨୯୫ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ରିଲିଫ କେନ୍ଦ୍ର ଖୋଲାଯାଇଛି । ଘରଭାଙ୍ଗି ଯାଇଥିବା ଲୋକମାନଙ୍କୁ ପଲିଥିନ ଯୋଗାଇ ଦିଆଯାଇଛି । ଆହତ ଲୋକଙ୍କ ଚିକିତ୍ସା ପାଇଁ ୫ଟି ମେଡିକାଲ ଟିମ ମଧ୍ୟ ନିୟୋଜିତ କରାଯାଇଛି । ୪୭ଟି ଗାଁର ୪୭୭୫ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ସେହିପରି ଆଜି ବାଲେଶ୍ବରରେ ତାଣ୍ଡବ ରଚିଛି କାଳବୈଶାଖୀ । ବସ୍ତା, ଜଳେଶ୍ବର, ନୀଳଗିରି, ସୋରରେ ବର୍ଷା ହୋଇଛି । କିଛି ସ୍ଥାନରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ବର୍ଷା ଦେଖିବାକୁ ମିଳିଛି । ଗୋଟେ ପଟେ ଗରମରୁ ଆଶ୍ବସ୍ତି ମିଳିଥିଲେ ବି ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିବାରୁ ଅନ୍ଧାରରେ ଅଛନ୍ତି ଲୋକେ । ସେପଟେ କେନ୍ଦୁଝର ଯୋଡ଼ା, ଚମ୍ପୁଆ ଅଞ୍ଚଳରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇଛି । କୁଆପଥର ମାଡ଼ ଯୋଗୁଁ ଅନେକ ଅଞ୍ଚଳରେ ଚାଷ ନଷ୍ଟ ହୋଇଛି । ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଚାଷୀ ।
ଖାଲି ଏତିକି ନୁହେଁ ଝଡ ବର୍ଷା ସାଙ୍ଗକୁ ବଜ୍ରପାତ ମଧ୍ୟ ଲୋକଙ୍କୁ ଡରାଉଛି। ସ୍କୁଟି ନେଇଯାଉଥିବାବେଳେ ମୋବାଇଲରେ କଥା ହେଉଥିଲେ, ବଜ୍ରପାତରେ ଚାଲିଗଲା ଜୀବନ । ବାଲେଶ୍ବର ସୋର ଗଣ୍ଡିବେଡ଼-ଔପଦା ରାସ୍ତାର ଚକ୍ରଧରପୁର ଛକ ନିକଟରୁ ଏଭଳି ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ମୃତ ବ୍ୟକ୍ତି ମାଖନପୁର ତରାଙ୍ଗ ଗାଁର ଦିବ୍ୟାଂଶୁ ସେଠୀ ବୋଲି ପରିଚୟ ମିଳିଛି।