କନକ ବ୍ୟୁରୋ: +୩ ନାମଲେଖା ପାଇଁ ସରକାରଙ୍କ ବିଚିତ୍ର ପ୍ରକ୍ରିୟାକୁ ନେଇ ସମ୍ବାଦ ଓ କନକ ନ୍ୟୁଜ୍ ଖବର ପ୍ରସାରଣ ପରେ ଚେତିଛନ୍ତି ସରକାର । ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ବଢ଼ିବା ପରେ ନାମଲେଖା ଆବେଦନ ତାରିଖକୁ ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ, ଜୁନ ୧ ପର୍ଯ୍ୟନ୍ତ ଆବେଦନ ଅବଧିକୁ ବଢ଼ାଇ ଦେଇଛନ୍ତି ସରକାର ।
ତେବେ ଆଜି ଥିଲା +୩ରେ ନାମ ଲେଖାଇବା ପାଇଁ ଆବେଦନର ଶେଷ ତାରିଖ । କିନ୍ତୁ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଆବେଦନ କରିନାହାନ୍ତି । ତେବେ ସରକାରଙ୍କ ଏହି ବିଚିତ୍ର ବ୍ୟବସ୍ଥାକୁ ନେଇ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍ ।
- କାହିଁକି ସୃଷ୍ଟି ହେଲା ଦ୍ୱନ୍ଦ୍ୱ?
- ବିଭାଗ ବିଭାଗ ମଧ୍ୟରେ ରହୁନି କି ସମନ୍ୱୟ?
ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ +୩ ନାମଲେଖା ଯୋଡ଼ି ହୋଇଥିବାବେଳେ ଏଭଳି ଦ୍ୱନ୍ଦ୍ୱ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା ଫଳ ପ୍ରକାଶ ପାଇନଥିବାବେଳେ କେମିତି +୩ ନାମଲେଖା ଆବେଦନ ତାରିଖ ଶେଷ ହେଉଥିଲା ତାକୁ ନେଇ ସନ୍ଦେହ ଉପୁଜିଛି । ଅନ୍ୟପଟେ +୨ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବକୁ ନେଇ ଗଣଶିକ୍ଷା ବିଭାଗକୁ ସମାଲୋଚନା କରିଛି ବିଜେଡି । ଅଭିଭାବକ ମହାସଂଘ ମଧ୍ୟ ପିଲାଙ୍କ ଭବିଷ୍ୟତ ସହ ନ ଖେଳିବାକୁ ଚେତାଇ ଦେଇଛି । ତେବେ ପୁଣି ଥରେ ଦୁଇ ଦିନିଆ କଣ୍ଟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।