କନକ ବ୍ୟୁରୋ : କଟକ ଦୁର୍ଗାପୂଜା ଭସାଣୀକୁ ନେଇ ଆରମ୍ଭ ହୋଇଥିବା ବିବାଦ ଉଗ୍ରରୂପ ନେଇଛି । ହିନ୍ଦୁ ସଂଗଠନ କାଲି କଟକ ବନ୍ଦ ଡାକରା ଦେଇଥିବାବେଳେ ଆଜି ବିଶାଳ ଶୋଭାଯାତ୍ରା କରି ପତିଆରା ଦେଖାଇଛନ୍ତି । ପୁଲିସ ଫ୍ଲାଗ୍ ମାର୍ଚ୍ଚ କରିଥିଲେ ବି ଶୋଭାଯାତ୍ରାକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ନାକେଦମ ହୋଇଛି । ଭସାଣରେ ଗୋଷ୍ଠୀ ସଂଘର୍ଷ ବିବାଦ ବିସ୍ଫୋରକ ରୂପ ନେଇଛି । ଆକ୍ରମଣର ପ୍ରତିବାଦରେ  ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ବେଳେ ଘଟିଛି ଏହି ଅଘଟଣ । ବିଗ୍ ବଜାର ପରିସରରେ ବିକ୍ଷୋଭକାରୀଙ୍କ ତୁମୁଳକାଣ୍ଡ ହୋଇଛି । ଶୋଭାଯାତ୍ରାକୁ ଅଟକାଇବାକୁ ନାକେଦମ ହୋଇଛି କମିସନରେଟ ପୁଲିସ । ଏପରିକି ଅଟକାଇବାକୁ ଉଦ୍ୟମ କରୁଥିବା ପୁଲିସ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ହୋଇଛି । ତେବେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । 

Advertisment

ଭସାଣ ବିବାଦକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ ଅପରାହ୍ଣରେ ଆକ୍ସନମୋଡକୁ ଆସିଥିଲା କମିସନରେଟ ପୁଲିସ । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ପୁଲିସ ଫ୍ଲାଗମାର୍ଚ୍ଚ କରିଛି । ଦରଘା ବଜାରରୁ ଫ୍ଲାଗମାର୍ଚ୍ଚ ବାହାରି ଝୋଲା ସାହୁ, ନନ୍ଦି ସାହି ଦେଇ ଚୌଧୁରୀ ବଜାର ଯାଇଥିଲା । ଆସନ୍ତାକାଲି ବିଶ୍ୱ ହିନ୍ଦୁ ପରିଷଦ କଟକ ବନ୍ଦ ଡାକରା ଦେଇଥିବାରୁ ସତର୍କ ରହିଛି ପୁଲିସ ପ୍ରଶାସନ । ଦୁର୍ଗାପୂଜା ଭସାଣକୁ ନେଇ କଟକରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଏଥିରେ ୬ ଜଣ ଆହତ ହୋଇଥିବା ବେଳେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ମୋଟ ୩ଟି ମାମଲା ରୁଜୁ ହୋଇଛି।