କନକ ବ୍ୟୁରୋ: ପୁଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ଆଜି ସୁନ୍ଦରଗଡ଼ରେ ସରିଛି ବାରୁଦ ମାଗାଜିନ୍ ଯାଞ୍ଚ ପ୍ରକ୍ରିୟା । ସୁନ୍ଦରଗଡ଼ ଜିଲ୍ଲାରେ ରହିଥିବା ୯ଟି ବିସ୍ପୋରକ ମାଗାଜିନକୁ ଯାଞ୍ଚ କରିଛନ୍ତି ଏସଡିପିଓ ଏବଂ ଥାନା ଆଇଆଇସି । ବିସ୍ଫୋରକ ଗୋଦାମ ଗୁଡ଼ିକରେ ଚଢ଼ାଉ କରିବା ସହିତ ଷ୍ଟକ୍ ଯାଞ୍ଚ କରିଛନ୍ତି । ଏସଓପି କିଭଳି ପାଳନ କରାଯାଉଛି ତା’ର ତଦାରଖ କରିବା ସହିତ ବାରୁଦ ସ୍ଥିତି ନେଇ ପୁଲିସ ଡିଜିଙ୍କୁ ଅବଗତ କରିଛନ୍ତି ।
ସୁନ୍ଦରଗଡ଼ରେ ବିସ୍ଫୋରକ ଟ୍ରକରୁ ବିସ୍ଫୋରକ ସବୁ ଲୁଟ୍ ହେବା ପରେ ଆଖପାଖ ଅଞ୍ଚଳ , ପୁଲିସ ସମସ୍ତଙ୍କ ମନରେ ଛାନିଆଁ ପଶିଥିଲା । କାଳେ ଏହାକୁ ନେଇ ମାଓବାଦୀମାନେ କିଛି ଅଘଟଣ ଘଟାଇବେ ତାକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ଥିଲା । ତେଣୁ ବାରୁଦ ଗଦାରେ ରହିଛି ସାରା ଓଡ଼ିଶା ବୋଲି ଚର୍ଚ୍ଚା ହେଉଥିଲା।
ମାଓବାଦୀ ସୁନ୍ଦରଗଡ଼ ବାଙ୍କୋ ଖଣିରୁ ବାରୁଦ ଲୁଟ କରି ନେଇଯିବା ପରେ ଜଣାପଡ଼ିଥିଲା ବାରୁଦ ବେପାରର କାହାଣୀ । ଏହି ଘଟଣା ସାମ୍ନାକୁ ଆସିବା ପରେ ଡିଜିପି ତିନୋଟି ଜିଲ୍ଲା ସୁନ୍ଦରଗଡ଼, ରାଉରକେଲା ଓ କେନ୍ଦୁଝର ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେମାନଙ୍କ ଅଞ୍ଚଳରେ ଥିବା ବାରୁଦ ଗୋଦାମ ଓ ମାଗାଜିନ୍ ଗୁଡ଼ିକ ଉପରେ ଚଢ଼ାଉ କରି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଧାରରେ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ଯାଞ୍ଚ ସରିଛି ।