କନକ ବ୍ୟୁରୋ : ସୁନ୍ଦରଗଡ଼ କେ.ବଲାଙ୍ଗ ବାଙ୍କୋ ଥାନା ଅଞ୍ଚଳରୁ ୫ଟନ ବିସ୍ଫୋରକ ଲୁଟିଥିଲେ ମାଓବାଦୀ । ବହୁ ଖୋଳତାଡ଼ ଓ ହଟଚମଟ ପରେ ପୁଲିସ ଆଜି ଅଢେଇ ଟନ ବିସ୍ଫୋରକ ଜବତ କରିଥିବା ଦାବି କରିଛି । ସର୍ଚ୍ଚ ଅପରେସନ ବେଳେ ଏତେ ପରିମାଣର ବିସ୍ଫୋରକ ମିଳିଛି । ପ୍ରଶ୍ନ ଉଠୁଛି, ବାକି ବିସ୍ଫୋରକ ଗଲା କୁଆଡ଼େ ? ସରଣ୍ଡା ଜଙ୍ଗଲରେ ମାଓବାଦୀ ରଖିଛନ୍ତି କି ବିସ୍ଫୋରକ ?
ଗତ ଶୁକ୍ରବାର ଦିନ ଝାଡ଼ଖଣ୍ଡ ଏବଂ ଓଡିଶା ପୁଲିସର ମିଳିତ ଅପରେସନରେ ତିରିଲିଆ ପୋଷିରୁ ଜବତ ହୋଇଥିବା ଏହି ବିସ୍ଫୋରକ ସାମଗ୍ରୀ । ଏହି ସମୟରେ ପ୍ରଚାର କରାଗଲା ଉଭୟ ରାଜ୍ୟର ପୁଲିସ ମିଳିତ ଭାବରେ ୭୦ ପ୍ରତିଶତ ବିସ୍ଫୋରକ ଜବତ କରିଛନ୍ତି । ହେଲେ ଝାଡଖଣ୍ଡ ପୁଲିସ ଫଟୋ ଓ ଇସ୍ତାହାର ଜାରି କରିବା ପରେ ସବୁ ସତ ସାମ୍ନାକୁ ଚାଲିଆସିଛି । ଝାଡ଼ଖଣ୍ଡ ପୁଲିସ ଜବତ କରିଥିବା ବିସ୍ଫୋରକ ଯଦି ସୁନ୍ଦରଗଡ଼ ଇତ୍ମାରୁ ଲୁଟ ସାମଗ୍ରୀ, ତାହା ହେଲେ ଲୁଟର ମାତ୍ର ୧୦ ପ୍ରତିଶତ ଜବତ ହୋଇଛି । କାରଣ ଫଟୋରେ ମାତ୍ର ୫୨ଟି ପ୍ୟାକେଟ ଦର୍ଶାଯାଇଛି । ତେଣୁ ଜବତ ପରିମାଣକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି ।
ବିସ୍ଫୋରକ ଜବତକୁ ନେଇ ଦ୍ୱନ୍ଦ୍ୱ ବଢୁଥିବାବେଳେ ସରଣ୍ଡା ଜଙ୍ଗରେ ଏବେ ଭୟର ମାହୋଲ ଦେଖାଦେଇଛି । ଲୁଟରେ ସହଯୋଗ କରିଥିବା ଆଦିବାସୀ ଦୋଛକିରେ ପଡିଛନ୍ତି । କୁଆଡ଼େ ଗଲା ବାକି ବିସ୍ଫୋରକ ? ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କ ଭୂମିକା ବି ସନ୍ଦେହ ଘେରରେ ।
ବିସ୍ଫୋରକ ଜବତ ପରେ ପୁଲିସ ୨୮ ତାରିଖରେ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କ ଗୋଦାମକୁ ସିଲ କରିଥିଲା । କିନ୍ତୁ ଆକସ୍ମିକ ଭାବରେ ଜିଲେଟିନ ଫଟାଇବା ପାଇଁ ବ୍ୟବହାର ହେଉଥିବା ଡେଟୋନେଟର ବିପୁଳ ପରିମାଣରେ ବାଲୁଘାଟରୁ ଉଦ୍ଧାର ହୋଇଛି । ଏହି ଗାଡ଼ି ଶ୍ରବଣ ଅଗ୍ରୱାଲଙ୍କର ବୋଲି ଚିହ୍ନଟ ହୋଇଛି । ଯଦି ଗୋଦାମ ସିଲ ହୋଇଥିଲା ତେବେ ଏତେ ଜିଲେଟିନ ଆସିଲା କେମିତି ?
ଏବେ ପ୍ରଶ୍ନ ଉଠୁଛି, ଜବତ ବିସ୍ଫୋରକ ନେଇ କାହିଁକି ତାଳମେଳ ରହୁନାହିଁ ? ବାକି ବିସ୍ଫୋରକ କେଉଁଠି ରଖିଛନ୍ତି ମାଓବାଦୀ ? ମାଓବାଦଙ୍କ ସହ ଗୋଦାମ ମାଲିକଙ୍କ ସମ୍ପର୍କ ରହିଛି କି ?