ମାଓବାଦୀଙ୍କୁ ବଳ ଦେଉଛି କିଏ ? କେମିତି ଓଡ଼ିଶାକୁ ଆସୁଛି ବିସ୍ଫୋରକ ?

୨୦୨୬ ସୁଦ୍ଧା ମାଓ ନିପାତ ପାଇଁ ଅଭିଯାନ ଚଳାଇଛନ୍ତି ଅମିତ୍ ଶାହା ।  ଜଙ୍ଗଲରେ ଲଢ଼ୁଛନ୍ତି ଯବାନ । ବିଭୀଷଣ ସାଜିଛନ୍ତି ମାଫିଆ । ଯୋଗାଉଛନ୍ତି ବିସ୍ଫୋରକ । ଧରାପଡିବା ପରେ ଫିଟୁଛି ଗୁମର । ସୁରକ୍ଷାକୁ ନେଇ ଚିନ୍ତାରେ ପଡିଲେଣି ସାଧାରଣ ଜନତା ।     

53-Explosive

କନକ ବ୍ୟୁରୋ: ୨୦୨୬ ସୁଦ୍ଧା ଦେଶ ମାଓମୁକ୍ତ ହେବ । ଏମିତି ଟାର୍ଗେଟ୍‌ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହାକୁ କାର୍ଯ୍ୟକାରୀ କରିବାକୁ ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ ଓ ତେଲେଙ୍ଗାନା ଅଣ୍ଟାଭିଡ଼ିଛନ୍ତି । ଜଙ୍ଗଲରେ ଜୋରଦାର ଚାଲିଛି ଅପରେସନ। ନିୟୋଜିତ ହୋଇଛନ୍ତି କେନ୍ଦ୍ରୀୟ ସୁରକ୍ଷା ବଳ । ଯବାନଙ୍କ ଆକ୍ରମଣାତ୍ମକ ଅଭିଯାନରେ କମ୍ପୁଛି ମାଓ ଗଡ଼ । ସମର୍ଥନ ଗୋଟାଇବାକୁ ଶେଷ ଚେଷ୍ଟା କରୁଛନ୍ତି ମାଓବାଦୀ । 

ଏମିତି ସମୟରେ ଗୃହ ଶତ୍ରୁ ବିଭୀଷଣ ସାଜିଛନ୍ତି ମାଫିଆ । ସୁନ୍ଦରଗଡ଼ ସରଣ୍ଡା ଜଙ୍ଗଲରୁ ୫ ହଜାର ଟନ୍ ବିସ୍ଫୋରକ ଲୁଟ୍‌ ଏହି ସଙ୍କେତ ଦେଇଥିଲା । ତଥାପି ଚେତିଲାନି ପୁଲିସ କି ପ୍ରଶାସନ । ପଛକୁ ପଛ କନ୍ଧମାଳ ହୁମ୍ମା ଜଙ୍ଗଲରୁ ମାଟି ତଳୁ ଜବତ ହେଲା ୬୦୦ ଡିଟୋନେଟର । ଗଞ୍ଜାମରୁ ୧୦ ଟନ୍ ବିସ୍ଫୋରକ ବି ପାଇଲା ପୁଲିସ । ଏବେ ଝାଡ଼ଖଣ୍ଡ ସୀମାରୁ ବି ପୁଲିସକୁ ମିଳିଛି ବିସ୍ଫୋରକ ସାମଗ୍ରୀ । ଜଗି ରହିଛନ୍ତି ଯବାନ । ହେଲେ ଭୟରେ ଥରୁଛନ୍ତି ସ୍ଥାନୀୟ ବାସିନ୍ଦା ।  
 
ମାଓବାଦୀଙ୍କୁ କିଏ ଡିଟୋନେଟର ଦେଉଛି, ସେ ରହସ୍ୟର ମୂଳ ଯାଏଁ ପହଞ୍ଚିପାରୁନି ପୁଲିସ । ନିଷିଦ୍ଧ ଡିଟୋନେଟର ପ୍ରସ୍ତୁତି ପାଇଁ କିଏ ଦେଉଛି ଲାଇସେନ୍ସ ଜାଣିବାକୁ ଚାହୁନାହାନ୍ତି ସରକାର । ପୁଲିସ ଅଧିକାରୀ ଠାରିଲେଣି ଯେ ମାଓବାଦୀଙ୍କ ସହ ହାତ ମିଳାଇଛନ୍ତି ଖଣି ମାଫିଆ। ହେଲେ ଏମାନେ କିଏ ଏ ନାଁ ସାମ୍ନାକୁ ଆସିପାରୁନି । ଏଠାରେ ପ୍ରଶ୍ନ ଉଠୁଛି, ଦେଶ ସୁରକ୍ଷା ସହ ସାଲିସ୍ କରୁଥିବା ଅପରାଧୀ ତତ୍ତ୍ୱଙ୍କ ସହିତ କିଏ, କାହିଁକି ବୁଝାମଣା କରୁଛି? ମାଓବାଦୀଙ୍କ ପଛର ଚେହେରାଙ୍କୁ ଆଗକୁ ଆଣିବାକୁ ପ୍ରଶାସନ କୁନ୍ଥକୁନ୍ଥ କାହିଁକି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe