କନକ ବ୍ୟୁରୋ : ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଗଲେ ନବୀନ ତାଙ୍କ ପାଇଁ ବାହାରି ଆସନ୍ତି । ସିଧାସଳଖ କ୍ଲିନଚିଟ୍ ଦିଅନ୍ତି । ହେଲେ, ରୁବେନ ତାଙ୍କ ବହି "Naveen Patnaik- The authorative biography revised after 2024 elections"ରେ ଯାହା ଲେଖିଛନ୍ତି ତାହା ସମସ୍ତଙ୍କୁ ଚମକାଇ ଦେଇଛି। ନବୀନଙ୍କ ବିଶ୍ବାସଭାଜନ ହେବା ପାଇଁ ପାଣ୍ଡିଆନ କେମିତି ବୈଜୟନ୍ତ ଓ ଅନ୍ୟ ନେତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିଲେ ତାହା ଗୋଟି ଗୋଟି କରି ବର୍ଣ୍ଣନା କରିଛନ୍ତି। ପାଣ୍ଡିଆନ କେମିତି ସରକାରକୁ ଅକ୍ତିଆର କରିଥିଲେ ତାହା ଉଲେଖ କରିଛନ୍ତି । ଏଥିସହ ୨୦୨୪ ନିର୍ବାଚନ ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିଛନ୍ତି।
ରୁବେନଙ୍କ ବହିରେ ପାଣ୍ଡିଆନଙ୍କ ସତ ଉନ୍ମୋଚନ ପରେ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ସତରେ କଣ ପାଣ୍ଡିଆନ ଏମିତି କରୁଥିଲେ ବୋଲି ଭିତରେ ଭିତରେ ଆଲୋଚନା ହେଉଛି। ଏହାକୁ ଖୋରାକ୍ ଯୋଗାଇଛି ଦଳର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ତେରେଛା ବାଣ। ନବୀନଙ୍କ ସହ ରୁବେନଙ୍କର ବ୍ୟକ୍ତିଗତ ସମ୍ପର୍କ ଥିବାରୁ ସେ ସତ ଜାଣିଥିବେ କହି ନିଆଁରେ ଘିଅ ଢ଼ାଳିଛନ୍ତି । ବିଜେଡିର ପୂର୍ବତନ ବିଧାୟକ ସମୀର ଦାସ ମଧ୍ୟ ବିଷୋଦଗାର କରିଛନ୍ତି। ପାଣ୍ଡିଆନ କେମିତି ଚକ୍ରାନ୍ତ କରି ତାଙ୍କ ଟିକେଟ୍ କାଟିଥିଲେ ତାହା କ୍ୟାମେରାରେ କହିଛନ୍ତି।
ପାଣ୍ଡିଆନଙ୍କୁ ନବୀନ କ୍ଲିନଚିଟ୍ ଦେଲେ ବି, ସେ ସକ୍ରିୟ ହେବା ପରଠାରୁ ବିଜେଡିରୁ କେମିତି ଜଣଙ୍କ ପରେ ଜଣେ ଟାଣୁଆ ନେତା ଦଳ ଛାଡିଥିଲେ ତାହା ସମସ୍ତଙ୍କୁ ଜଣା। କିନ୍ତୁ ସେହି ସମୟରେ କେହି ମୁହଁ ଖୋଲିବାକୁ କାହାର ସାହାସ ନଥିଲା। ଯିଏ ମୁହଁ ଖୋଲୁଥିଲା ତା ବିରୋଧରେ କଳବଳ କୌଶଳ ଲଗାଇ ହଇରାଣ କରାଯାଉଥିଲା। ଯାହାର ପର୍ଦାଫାଶ କରିଛି ରୁବେନ ବାନାର୍ଜୀଙ୍କ ବହି।