କନକବ୍ୟୁରୋ : ଯାଜପୁରରେ ବାଣ ଭିଡ଼ା ବେଳେ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି  ।  ଗୁରୁତର ବାଣ ଭିଡ଼ାଳି ବାଦଲ ପାତ୍ରଙ୍କର କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏବେବି ୩ ଜଣ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି  ।   ଯାଜପୁର ଟାଉନ  ଥାନା  ଜାଲପୁର ଗାଁରେ ଥ‌ିବା ଏକ ବେଆଇନ ବାଣ କାରଖାନାରେ ଗତକାଲି ଭୟଙ୍କର ବିସ୍ଫୋରଣ ଘଟିଥିଲା  ।   

Advertisment

ପ୍ରଚଣ୍ଡ ଶବ୍ଦ ଯୋଗୁ ଦୁଇଜଣ ପଡ଼ୋଶୀ ଶିଶୁ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ୬ଟି ଘର କ୍ଷତିଗ୍ରସ୍ତ ହୋଇଛି। ବାସୁଦେବପୁର ପଞ୍ଚାୟତ ଜାଲପୁର ଗାଁରେ ଦୀର୍ଘଦିନ ଧରି ବେଆଇନ ଭାବେ ବାଣ କାରଖାନା ଚାଲି ଆସୁଥିଲା ।   ଗାଁର ନିଶିକାନ୍ତ ପତି ନିଜ ଘରେ ଦୀର୍ଘ ଦିନ ହେବ କିଛି ଲୋକଙ୍କୁ ନେଇ ବାଣ କାରଖାନା ଚଲେଇ ଆସୁଥିଲେ ।  ସେହି ଗାଁର ବାଦଲ ପାତ୍ର ଓ ନାରାୟଣ ବେହେରା ବାଣ ତିଆରି କରୁଥିଲେ ।  ହଠାତ୍ କୌଣସି କାରଣବଶତଃ ବାଣ ଗୁଡ଼ିକ ବିସ୍ଫୋରଣ ହୋଇଥିଲା ।  ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ବାଦଲଙ୍କର ଗୋଟିଏ ଗୋଡ଼ ଶରୀର ଠାରୁ ବିଚ୍ଛିନ୍ନ ହୋଇଯାଇଥିଲା  ।  ସେହିପରି ନିଶିକାନ୍ତ ଓ ନାରାୟଣ ଗୁରୁତର ଆହତ ହୋଇଥିଲେ ।  କଟକରେ  ଚିକିତ୍ସାଧୀନ ଅବସ୍ଥାରେ ଶ୍ରମିକ ବାଦଲଙ୍କ ମୃତ୍ୟୁ ହୋଇଛି ।