କନକବ୍ୟୁରୋ : ମୋହାଲି ଅମ୍ଳଜାନ ପ୍ଲାଣ୍ଟରେ ବିସ୍ଫୋରଣ । ଚାଲିଗଲା ୨ଜଣକ ଜୀବନ । ବୁଧବାର ଦିନ ପଞ୍ଜାବର ମୋହାଲିରେ ଏକ ଅକ୍ସିଜେନ ପ୍ଲାଣ୍ଟରେ ବଡ଼ ବିସ୍ଫୋରଣ ଘଟିବାରୁ ଏପର୍ଯ୍ୟନ୍ତ ୨ଜଣକ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହା ସହ ଅନେକ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି । ଏପର୍ଯ୍ୟନ୍ତ ଆହତଙ୍କ ସଂଖ୍ୟା ସାମ୍ନାକୁ ଆସିନାହିଁ ।
ସୂଚନା ମୁତାବକ, ସହରର ଫେଜ୍ ୯ରେ ଅବସ୍ଥିତ କାରଖାନାରେ ଏହି ବିସ୍ଫୋରଣ ଘଟିଛି । ସୂଚନା ପାଇବା ମାତ୍ରେ ଡାକ୍ତରୀ ଦଳ, ପୁଲିସ ଏବଂ ଜିଲ୍ଲା ପ୍ରଶାସନର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଆହତ ମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । "ଏହି ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ, ତିନି ଜଣ ଆହତଙ୍କୁ ଚିକିତ୍ସା ପାଇଁ ଫେଜ୍ ୬ର ସିଭିଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି" ବୋଲି ଅଧିକାରୀମାନେ କହିଛନ୍ତି। ଆହତ ଓ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରୁଛନ୍ତି ଅଧିକାରୀ । ତେବେ ବିସ୍ଫୋରଣ କେମିତି ହେଲା ଏବଂ ବିସ୍ଫୋରଣ ସମୟରେ ଭିତରେ କେତେ ଜଣ ଥିଲେ ତାହା ସାମ୍ନାକୁ ଆସିନାହିଁ।