କନକ ବ୍ୟୁରୋ : ବାଣ ଭିଡିବା ବେଳେ ବିସ୍ଫୋରଣ । ବାଣ ବିସ୍ଫୋରଣରେ ୪ ଜଣ ନାବାଳକ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗାଁରେ ଘଟିଛି ଏହି ଅଘଟଣ । ଗୁରୁତର ୪ ନାବାଳକଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି । ଆଗକୁ ଦୀପାବଳି ଥିବାରୁ ମାଣିକପୁର ଗାଁର ଗୋଟିଏ ଘରେ ୪ ଜଣ ନାବାଳକ ବାଣ ତିଆରି କରୁଥିଲେ । ଅସାବଧାନତା ଯୋଗୁଁ ବାଣ ତିଆରି ବେଳେ ଘର ଭିତରେ ହଠାତ ବିସ୍ପୋରଣ ହୋଇଥିଲା । ବିସ୍ପୋରଣରେ ଆହତ ନାବାଳକମାନେ ହେଲେ ପ୍ରସାଦ ଗୌଡ଼, ବାଦଲ ଗୌଡ଼, ବାବୁଲା ଗୌଡ଼ ଓ ସମୀର ଦୁହୁଡି । ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ ନାବାଳକ ବାଦଲର ଗୋଟିଏ ଗୋଡ଼ ଓ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।