କନକ ବ୍ୟୁରୋ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ହୋଇଥିବା ଭୟଙ୍କର ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି, ଯେଉଁଠି ଆଖି ପିଛୁଳାକେ ଗୋଟିଏ ପୂରା ଗାଁ ବନ୍ୟା ପାଣିରେ ଭାସିଗଲା । ଏହା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ପାହାଡ଼ିଆ ଅଞ୍ଚଳରେ ହିଁ କାହିଁକି ଏତେ ଅଧିକ ବାଦଲ ଫାଟିବାର ଘଟଣା ଘଟେ ? ଏହା ପଛରେ ରହିଛି କି କିଛି ବୈଜ୍ଞାନିକ କାରଣ । ପାଣିପାଗ ବିଜ୍ଞାନ ଅନୁଯାୟୀ ଯଦି କୌଣସି ଏକ ଛୋଟ ଅଞ୍ଚଳରେ ଘଣ୍ଟାକ ମଧ୍ୟରେ ୧୦୦ ମିଲିମିଟର ବା ତା'ଠାରୁ ଅଧିକ ବର୍ଷା ହୁଏ, ତେବେ ତାହାକୁ ବାଦଲ ଫାଟିବା କୁହାଯାଏ । ଏହା ସାଧାରଣ ବର୍ଷା ନୁହେଁ ବରଂ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅତି କମ୍ ସମୟ ମଧ୍ୟରେ ବହୁତ ଅଧିକ ପରିମାଣର ପାଣି ଏକାସାଙ୍ଗରେ ବର୍ଷିବା ।
ପାହାଡ଼ିଆ ଅଞ୍ଚଳରେ ହିଁ କାହିଁକି ଅଧିକ ବାଦଲ ଫାଟେ ?
ଏହାର ମୁଖ୍ୟ କାରଣ ହେଉଛି ପାହାଡ଼ର ଭୌଗୋଳିକ ସ୍ଥିତି । ମୌସୁମୀ ସମୟରେ ସମୁଦ୍ର କିମ୍ବା ସମତଳ ଅଞ୍ଚଳରୁ ବହୁତ ପରିମାଣର ଜଳୀୟବାଷ୍ପ ଧରି ବାଦଲ ପାହାଡ଼ ଆଡ଼କୁ ଗତି କରେ । ଯେତେବେଳେ ଏହି ଜଳୀୟବାଷ୍ପପୂର୍ଣ୍ଣ ବାଦଲ ପାହାଡ଼ ସହ ଧକ୍କା ହୁଏ, ତାକୁ ଆଗକୁ ଯିବାକୁ ବାଟ ମିଳେ ନାହିଁ । ଉଚ୍ଚ ପାହାଡ଼ଗୁଡ଼ିକ ଏକ ପ୍ରାକୃତିକ ବାଧକ ଭଳି କାମ କରନ୍ତି । ଆଗକୁ ଯାଇନପାରିବାରୁ ପବନର ଚାପରେ ବାଦଲଗୁଡ଼ିକ ବାଧ୍ୟ ହୋଇ ଦ୍ରୁତ ଗତିରେ ପାହାଡ଼ର ଢାଲୁ ଅନୁସାରେ ଉପରକୁ ଉଠିଥାନ୍ତି । ଯେତେ ଶୀଘ୍ର ବାଦଲ ଉପରକୁ ଉଠେ, ସେଠାରେ ତାପମାତ୍ରା ସେତେ କମ୍ ଥାଏ । ଏହି କାରଣରୁ ବାଦଲରେ ଥିବା ଜଳୀୟବାଷ୍ପ ହଠାତ୍ ଥଣ୍ଡା ହୋଇଯାଏ ଏବଂ ଦ୍ରୁତ ଗତିରେ ସଂଘନିଭୂତ ହୋଇ ବଡ଼ ବଡ଼ ପାଣି ବୁନ୍ଦାରେ ପରିଣତ ହୁଏ । ଏହି ପ୍ରକ୍ରିୟା ଏତେ ଦ୍ରୁତ ଗତିରେ ହୁଏ ଯେ ବାଦଲ ଆଉ ଏହି ବିଶାଳ ଜଳରାଶିର ଓଜନକୁ ସମ୍ଭାଳି ପାରେ ନାହିଁ । ଫଳରେ, ସମସ୍ତ ପାଣି ହଠାତ୍ ଗୋଟିଏ ସ୍ଥାନରେ 'ୱାଟର ବମ୍' ଭଳି ଅଜାଡ଼ି ହୋଇପଡ଼େ । ଏହାକୁ ହିଁ ବାଦଲ ଫାଟିବା କୁହାଯାଏ ।
ଏହା ଏତେ ବିନାଶକାରୀ କାହିଁକି?
ପାହାଡ଼ିଆ ଅଞ୍ଚଳ ଗଡ଼ାଣିଆ ହୋଇଥିବାରୁ ଏତେ ପରିମାଣର ପାଣି ମାଟିରେ ଶୋଷି ହେବାକୁ ସମୟ ପାଏ ନାହିଁ । ପାଣି ଅତି ଦ୍ରୁତ ଗତିରେ ତଳକୁ ମାଡ଼ିଆସେ ଏବଂ ନିଜ ସାଙ୍ଗରେ ମାଟି, ପଥର ଓ ଗଛପତ୍ର ଧରି ଭୟଙ୍କର ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ସୃଷ୍ଟି କରେ । ଏହି ପ୍ରକ୍ରିୟା ଏତେ ହଠାତ୍ ହୁଏ ଯେ ଲୋକମାନଙ୍କୁ ସତର୍କ ହେବାକୁ ବା ସୁରକ୍ଷିତ ସ୍ଥାନକୁ ଯିବାକୁ ସମୟ ମିଳେ ନାହିଁ, ଯେପରି ଉତ୍ତରକାଶୀରେ ଦେଖିବାକୁ ମିଳିଲା । ପାହାଡ଼ର ସ୍ୱତନ୍ତ୍ର ଭୌଗୋଳିକ ଗଠନ ହିଁ ଜଳୀୟବାଷ୍ପପୂର୍ଣ୍ଣ ବାଦଲକୁ ବାଧା ଦେଇ ହଠାତ୍ ଅଧିକ ବର୍ଷା କରାଇବାରେ ସାହାଯ୍ୟ କରେ, ଯାହା ବାଦଲ ଫାଟିବାର ମୁଖ୍ୟ କାରଣ ।