କନକ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଆଇପିଏଲ । ପ୍ଲେଅଫ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି ୪ ଟିମ୍ । ଗୁଜରାଟ, ବେଙ୍ଗାଲୁରୁ, ପଞ୍ଜାବ ଓ ମୁମ୍ୱାଇ ଟିମ୍ ପ୍ରସ୍ତୁତ ହେଲେଣି ପ୍ଲେ ଅଫ ଖେଳିବାକୁ । ଆଉ ବାକି ଟିମ୍ ଘରକୁ ଫେରିବାର ବ୍ୟବସ୍ଥା କଲେଣି । ତେବେ ଏହାରି ଭିତରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ଆଇପିଏଲରେ ଦାମୀ ଖେଳାଳି । ଯେଉଁମାନଙ୍କୁ ଚଳିତ ଆଇପିଏଲରେ ଫ୍ରାଞ୍ଚାଇଜ କୋଟି କୋଟି ଟଙ୍କାରେ ଦଳରେ ସାମିଲ କରିଥିଲେ । ହେଲେ ସେମାନେ କୌଣସି ଫଳପ୍ରଦ ପ୍ରଦର୍ଶନ କରିପାରିନାହାନ୍ତି କି ଦଳର ବିଶ୍ୱାସ ଜିତି ପାରିନାହାନ୍ତି ।
ଋଷଭ ପନ୍ତ(୨୭ କୋଟି)
ଏହି ଲିଷ୍ଟରେ ପ୍ରଥମେ ଆସିବେ ଲକ୍ଷ୍ନୌ ସୁପର ଜାଏଣ୍ଟସର କ୍ୟାପଟେନ ଋଷଭ ପନ୍ତ । ଯିଏ କି ଚଳିତ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ରହିଛନ୍ତି । ତାଙ୍କୁ ଲକ୍ଷ୍ନୌ ୨୭ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା । ହେଲେ ତାଙ୍କ ବ୍ୟାଟିଂ ଫ୍ୟାନ୍ସଙ୍କୁ ନିରାଶ କରିଥିଲା । ସେ ୧୩ ମ୍ୟାଚ ଖେଳି ୧୩.୭୨ ଆଭରେଜରେ ୧୫୧ ରନ କରିଛନ୍ତି । ଏହି ସମୟରେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୧୦୭.୦୯ ରହିଥିଲା । ଋଷଭ ଉଭୟ ବ୍ୟାଟିଂ ଓ କ୍ୟାପ୍ଟେନ୍ସିରେ ଫେଲ୍ ମାରିଥିଲେ । ଦଳ ଭଲ ଆରମ୍ଭ କରିଥିଲେ ବି ଫ୍ଲେ ଅଫରେ ପ୍ରବେଶ କରିବାରେ ବିଫଳ ହୋଇଥିଲା ।
ଭେଙ୍କଟେଶ ଆୟର(୨୩.୭୫ କୋଟି)
କୋଲକାତା ପାଇଁ ସବୁ ବର୍ଷ ଲକି ସାବ୍ୟସ୍ତ ହୋଇଥିବା ଭେଙ୍କଟେଶ ଆୟର କିନ୍ତୁ ଏଥର ଫେଲ୍ ମାରିଛନ୍ତି । ଚଳିତ ଆଇପିଏଲରେ କୋଲକାତା ତାଙ୍କୁ ୨୩.୭୫ କୋଟି ଟଙ୍କାରେ ଟିମରେ ସାମିଲ କରିଥିଲା । ହେଲେ ଏଥର ତାଙ୍କ ବ୍ୟାଟ୍ ଚାଲିପାରିନଥିଲା । ସେ ୭ ମ୍ୟାଚରୁ ୨୦.୨୮ ଆଭରେଜରେ ୧୪୨ ରନ କରିଥିଲେ । ଆଉ ତାଙ୍କ ଷ୍ଟ୍ରାଇକରେଟ୍ ୧୩୯.୨୧ ରହିଥିଲା । ଏଭଳି ପ୍ରଦର୍ଶନ କରି ଭେଙ୍କଟେଶ ଫ୍ରାଞ୍ଚାଇଜର ବିଶ୍ୱାସ ଜିତି ପାରିନଥିଲେ । ଆଉ ଫ୍ୟାନ୍ସଙ୍କୁ ନିରାଶ କରିଥିଲେ ।
ଇଶାନ କିଶନ (୧୧.୨୫ କୋଟି)
ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଡେବ୍ୟୁ ମ୍ୟାଚରେ ନଟଆଉଟ ୧୦୬ ରନ କରିଥିଲେ । ଏମିତି ଲାଗିଥିଲା କି ଏହି ସିଜିନରେ ଇଶାନ କିଷାନ କିଛି ବଡ଼ କରିବେ । ହେଲେ ଏହାପରେ ତାଙ୍କ ବ୍ୟାଟ୍ ପୂରା ଶାନ୍ତ ରହିଥିଲା । ଏହାପରେ ଗତ ମ୍ୟାଚରେ ସେ ବାଙ୍ଗାଲୋର ବିପକ୍ଷରେ ୯୪ ରନର ପାଳି ଖେଳିଥିଲେ । ହେଲେ ଦଳ ସେତେବେଳକୁ ପ୍ଲେଅଫରୁ ବାଦ୍ ପଡ଼ିସାରିଥିଲା । ସେ ମୋଟ୍ ୧୩ ମ୍ୟାଚରୁ ୩୨୫ ରନ କରିଥିଲେ । ତାଙ୍କୁ ଚଳିତ ବର୍ଷ ହାଇଦ୍ରାବାଦ ୧୧.୨୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା । ହେଲେ ଦଳ ପାଇଁ ସେ ଲକି ସାବ୍ୟସ୍ତ ହୋଇ ପାରିନଥିଲେ ।
ମହମ୍ମଦ ସାମି(୧୦ କୋଟି)
ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ପ୍ରଦର୍ଶନ ଚଳିତ ଆଇପିଏଲରେ ଏତେ ଖାସ୍ ନଥିଲା । ଯାହାକି ଭାରତୀୟ ଟିମ ପାଇଁ ବି ଚିନ୍ତାର କାରଣ । ସାମି ଚଳିତ ଆଇପିଏଲ ସିଜିନରେ ୯ ମ୍ୟାଚରୁ ୫୬.୧୬ ଆଭରେଜରେ ୧୧.୨୩ ଖରାପ ଇକୋନୋମି ରେଟରେ ମାତ୍ର ୬ ଓ୍ୱିକେଟ ନେଇଛନ୍ତି । ଖରାପ ପ୍ରଦର୍ଶନ ପାଇଁ ଆଇପିଏଲର କିଛି ମ୍ୟାଚରେ ବି ତାଙ୍କୁ ପ୍ଲେଇଙ୍ଗ ୧୧ରୁ ବାହାର ହେବାକୁ ପଡ଼ିଥିଲା । ୨୦୨୫ ମେଗା ନିଲାମୀରେ ଦଳ ତାଙ୍କୁ ୧୦ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା ।
ରବିଚନ୍ଦ୍ରନ ଅଶ୍ୱିନ (୯.୭୫ କୋଟି)
ଅଭିଜ୍ଞ ସ୍ପିନ ବୋଲର ରବି ଚନ୍ଦ୍ରନ ଅଶ୍ୱିନ ୧୦ ବର୍ଷ ପରେ ଚେନ୍ନାଇ ସୁପର କିଙ୍ଗସ ଦଳକୁ ଫେରିଥିଲେ । ଏମିତିରେ ସିଏସକେ ତାଙ୍କ ଉପରେ ଅନେକ ଭରସା କରିଥିଲା । ହେଲେ ଚଳିତ ସିଜିନରେ ସେ ଫର୍ମରେ ଦିଗହରା ହୋଇଥିଲେ । ଅଶ୍ୱିନ ୯ ମ୍ୟାଚରୁ କେବଳ ୭ ଓ୍ବିକେଟ ନେଇଥିଲେ । ଏହି ସମୟରେ ତାଙ୍କର ଇକୋନୋମି ରେଟ୍ ୯.୧୨ ଓ ଆଭରେଜ୍ ୪୦.୪୨ ରହିଥିଲା । ଚେନ୍ନାଇ ତାଙ୍କୁ ୯.୭୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା ।
ଚଳିତ ଆଇପିଏଲରେ ପାଇଁ ଫ୍ରାଞ୍ଚାଇଜମାନେ କୋଟି କୋଟି ଟଙ୍କାରେ ଖେଳାଳିଙ୍କୁ କିଣିଥିଲେ । ବିଶେଷ କରି ଯେଉଁମାନଙ୍କୁ ଦଳ ଭରସା କରି କୋଟି କୋଟି ଟଙ୍କାରେ କିଣିଥିଲା ସେମାନେ ବିଫଳ ହୋଇଥିଲେ । ଯାହା ଦ୍ୱାରା ଦଳକୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିଛି ।