କନକ ବ୍ୟୁରୋ: ଲାଲକିଲ୍ଲାରୁ ଚୋରି । ପ୍ରାୟ ଏକ କୋଟି ଟଙ୍କା ମୂଲ୍ୟର କଳସ ଚୋରି ହୋଇଛି । ଏହି କଳସ ସାଧାରଣ କଳସ ନୁହେଁ କାରଣ ଏଥିରେ ସୁନା, ହୀରା, ମାଣିକ ସହ ବହୁମୂଲ୍ୟର ଅଳଙ୍କାର ଲାଗିଥାଏ । ତେବେ ଏକ ଜୈନ ଧର୍ମର ଏକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଚୋରି ଘଟଣା ସାମ୍ନାକୁ ଆସିଛି ।
ଜୈନ ମୁନି ବେଶରେ ଆସିଥିଲା ଚୋର । ଆଖି ପିଛୁଳାକେ ବୁଲାଇଦେଲା କଳାକନା । ସମସ୍ତଙ୍କୁ ଚକମା ଦେଇ ନେଇଗଲା ୭୭୦ ଗ୍ରାମର ସୁନା, ହୀରା,ମାଣିକ ଓ ମୂଲ୍ୟବାନ ଧାତୁ ଖଚିତ କଳସ । ଯାହାର ମୂଲ୍ୟ ପାଖାପାଖି ଗୋଟିଏ କୋଟି ଟଙ୍କା । ସବୁଠୁ ବଡ କଥା ହେଉଛି ଏହି ଚୋରି କୌଣସି ଘର କି ଦୋକାନରୁ ହୋଇନି ବଂର ୨୪ ଘଣ୍ଟା କଡ଼ା ସୁରକ୍ଷା ଭିତରେ ରହୁଥିବା ଲାଲକିଲ୍ଲାରୁ ହୋଇଛି । ଟିକେ ନଜର ପକାନ୍ତୁ ଏହି ସ୍ମାର୍ଟ ଚୋର ଉପରେ । କେମିତି ବେଶ ବଦଳାଇଛି ଚୋରି କରି ଫେରାର ହୋଇଛି । ତେବେ ଦିଲ୍ଲୀ ପୁଲିସ କହିଛି ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି ଓ ଖୁବଶିଘ୍ର ଧରାଯିବ । ଏକାଧିକ ମନ୍ଦିରରୁ ଚୋରି କରିବାରେ ସେ ପାରଙ୍ଗମ ।
ସୂଚନା ଅନୁସାରେ ଲାଲକିଲ୍ଲା ପରିସରରେ ୧୫ଦିନ ଧରି ଚାଲୁଛି ଜୈନଧର୍ମର ଏକ କାର୍ଯ୍ୟକ୍ରମ । ଦେଶ ବିଦେଶରୁ ହଜାର ସଂଖ୍ୟକ ଧର୍ମାଲମ୍ବୀ ସାମିଲ ହୋଇଛନ୍ତି । ସୁରେନ୍ଦ୍ର ଜୈନ ନାମକ ବ୍ୟବସାୟୀ ପ୍ରତିଦିଦ ଏହି କଳସକୁ ସ୍ବତନ୍ତ୍ର ପୂଜାରେ ସ୍ଥାପନ କରିଥାନ୍ତି ତେବେ ମୌକା ଦେଇ ବେଶଭୂଷା ବଦାଳାଇ କଳସ ଚୋରି କରିଛି ଅଭିଯୁକ୍ତ । ସେପଟେ ଉତ୍ତରପ୍ରଦେଶ ସରକାରଙ୍କ ଯଥାଶିଘ୍ର ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଟାନ କରୁନ୍ତୁ ବୋଲି ସମାଜବାଦି ପାର୍ଟି ଦାବି କରିଛି ।
ଦୁଇମାସ ମଧ୍ୟରେ ଲାଲକିଲ୍ଲା ବଡ ସୁରକ୍ଷା ତ୍ରୁଟି ଦେଖାଦେଇଛି ।ଅଗଷ୍ଟ ୧୫ ପୂର୍ବରୁ ଅଗଷ୍ଟ ୨ ତାରିଖରେ, ଲାଲକିଲ୍ଲାର ସୁରକ୍ଷା ପାଇଁ ନିୟୋଜିତ ପୋଲିସ କର୍ମଚାରୀମାନେ ଏକ ଡମି ବୋମା ଚିହ୍ନଟ କରିପାରି ନଥିଲେ, ଯାହା ପରେ ୭ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା ।