କନକ ବ୍ୟୁରୋ: ଆସନ୍ତା ୫ ତାରିଖ ଅଶୋକାଷ୍ଟମୀରେ ଭୁବନେଶ୍ୱରରେ ଗଡ଼ିବ ରୁକୁଣା ରଥ । ଏଥିପାଇଁ ପ୍ରଭୁ ଲିଙ୍ଗରାଜଙ୍କ ରଥ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେବାୟତମାନେ ଜୋରସୋରରେ କାମରେ ଲାଗିଥିବା ବେଳେ ୪ ତାରିଖରେ ରଥ ପ୍ରତିଷ୍ଠା କରାଯିବ । ଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ ପୁରୁଣା ଭୁବନେଶ୍ୱର ଚଳଚଞ୍ଚଳ ହୋଇଉଠିଛି । 

Advertisment

ରୁକୁଣା ରଥଯାତ୍ରା ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ୬୫ ଜଣ ସେବାୟତ ରଥ ତିଆରି କାମରେ ଲାଗିଛନ୍ତି । ରଙ୍ଗକାମ ସହ କାରୁକାର୍ଯ୍ୟ କାମ ଚାଲିଛି । ପଞ୍ଚଦଣ୍ଡା ଉପରେ ଓରା ଏବଂ ତା’ ଉପରେ ଚାରି ନାହାକା ପଡ଼ି ସାରିଛି । ଷୋହଳ ନାହାକା ପଡ଼ିବା ସହ ଉପର ଭାଡ଼ି ପାଇଁ ପାରିଣୀ ପଡ଼ିସାରିଛି । ପୋଟଳ ଲାଗିଲା ପରେ ଦଧି ନଉତି ଓ ଧ୍ବଜା ଲାଗିବ । ଆସନ୍ତା ୪ ତାରିଖ ନେତ୍ରୋତ୍ସବ ପାଳନ ଓ ରଥ ପ୍ରତିଷ୍ଠା କରାଯିବ ।

ମାର୍ଚ୍ଚ ୧୨ ତାରିଖରୁ ପ୍ରଭୁ ଲିଙ୍ଗରାଜଙ୍କ ରଥକାମ ଆରମ୍ଭ  ହୋଇଥିଲା । ମହାରଣା ସେବାୟତ, କମାର ସେବାୟତ ଓ ଭୋଇ ସେବାୟତଙ୍କ ମିଳିତ ସହଯୋଗରେ ସୁରୁଖୁରୁରେ କାମ ଚାଲିଛି । ତିନି ତାରିଖରେ ପ୍ରଶାସନକୁ ରଥ ହସ୍ତାନ୍ତର କରାଯିବ । ନିର୍ଦ୍ଧାରିତ ସମୟରେ ରଥ ହସ୍ତାନ୍ତର ପାଇଁ ମହାରଣା ସେବାୟତ ଦିନରାତି ଏକ କରିଦେଇଛନ୍ତି ।