କନକ ବ୍ୟୁରୋ : ମଦ ଚୋରା ଚାଲାଣ ସମୟରେ ଜବତ ହୋଇଥିବା ପିକପ୍ ଭ୍ୟାନରେ ବୁହା ହେଉଛି ଚୋରା କୋଇଲା । ଅବକାରୀ ବିଭାଗ ଅଫିସରେ ଥିବା ଗାଡ଼ି ରାତି ହେଲେ ରାସ୍ତାରେ ଗଡୁଛି । ଭଦ୍ରକରେ ଅବକାରୀ ବିଭାଗର ଗୁମର ଖୋଲି ଦେଇଛି ଜିପିଏସ ।
ସୂଚନା ଅନୁଯାୟୀ ଭଦ୍ରକ ପୁରୁଣା ବଜାର କାଜିମୋହଲ୍ଲାର ସେକ ତବରେଜ ମାସେ ତଳେ ପିକ୍ଅପ ଭ୍ୟାନରେ ଚୋରା ମଦ ଚାଲାଣ କରୁଥିବା ସମୟରେ ଧରା ପଡ଼ିଥିଲେ । ଭଦ୍ରକ ଅବକାରୀ ପୁଲିସ ମଦ ସହ ଗାଡ଼ିକୁ ଜବତ କରି ତାଙ୍କୁ ଜେଲ ପଠାଇ ଦେଇଥିଲେ । ସେ ଜାମିନରେ ଆସିବା ପରେ ଗାଡ଼ିଟି କେମିତି ଅଛି ଜାଣିବା ପାଇଁ ନିଜ ମୋବାଇଲରେ ଥିବା ଜିପିଏସ ଖୋଲିଥିଲେ । ସେତେବେଳେ ଗାଡ଼ିଟି ଇଚ୍ଛାପୁରରେ କୋଇଲା ଲୋଡ ହେଉଥିବା ଜାଣିବାକୁ ପାଇଥିଲେ । ତରଭେଜ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଥିବା କୋଇଲା ମାଫିଆ ତାଙ୍କୁ ମାଡ଼ ମାରିବା ସହ ଗାଡ଼ିକୁ ଅନ୍ୟତ୍ର ନେଇଯାଇଥିଲେ । ତବରେଜ୍ ଏନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ।
ପୁଲିସ ପିକଅପ୍ ଭ୍ୟାନକୁ ଜବତ କରି ଥାନାକୁ ଆଣିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଅବକାରୀ ପୁଲିସ ଦ୍ୱାରା ଜବତ ହୋଇଥିବା ଗାଡ଼ି ରାତି ଅଧରେ ବାହାରକୁ ଗଲା କେମିତି ? କାହା ନିର୍ଦ୍ଦେଶରେ ଚୋରା କୋଇଲା ଲୋଡ୍ ହେଉଥିଲା ? ଏହାର ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ ଲୋକ ଲୋଚନକୁ ଆସିବ ।
ଜିପିଏସ ଅବକାରୀ ବିଭାଗର ଗୁମର ଖୋଲି ଦେଇଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି । ସେପଟେ ଏ ସମ୍ପର୍କରେ ଅବକାରୀ ବିଭାଗର ପ୍ରତିକ୍ରିୟା ମିଳିପାରିନାହଁ ।