କନକ ବ୍ୟୁରୋ : ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଗାଡ଼ିକୁ ଗୋଡ଼ାଇ ଧରିଲା ଅବକାରୀ ବିଭାଗ । ଗାଡ଼ିକୁ ଧକ୍କା ଦେଇ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଗଞ୍ଜେଇ ମାଫିଆଙ୍କୁ ଧରିଛି ଟିମ । ଏହାର ଭିଜୁଆଲ ମୋବାଇଲରେ କଏଦ ହୋଇଛି । ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ପାଇବା ପରେ  ଅବକାରୀ ଗୁଇନ୍ଦା ବିଭାଗ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ଠାରେ ବ୍ଲକିଂ କରି ଯାଞ୍ଚ କରୁଥିଲା । 

Advertisment

ଏହି ସମୟରେ ଏକ କାର ଆସୁଥିବା ଦେଖି ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ଅବକାରୀ ଗୁଇନ୍ଦା କର୍ମଚାରୀମାନେ । କିନ୍ତୁ ଅବକାରୀ ଗୁଇନ୍ଦା ବିଭାଗ ଗାଡ଼ିକୁ ଧକ୍କା ଦେଇ ଫେରାର ହେବାକୁ ଚେଷ୍ଟା କରିଥିଲା । ଅଧିକାରୀ ମାନେ ଏହାର ପିଛା କରିଥିଲେ । ପ୍ରାୟ ୧୨ କିଲୋମିଟର ପିଛା କରିବା ପରେ ଗୋଲନ୍ଥରା ନିକଟ ଏକ ଘରୋଇ ଇଞ୍ଜିନିୟରିଂ କଲେଜ୍ ନିକଟରୁ ଗାଡ଼ିକୁ ଧରିଥିଲେ । ଗାଡ଼ିରୁ ୬୦ କିଲୋ ଗଞ୍ଜେଇ ଜବତ କରିଯାଇଥିବା ବେଳେ ଅଡବା ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ ।

ସେପଟେ ଗଞ୍ଜେଇ ଚାଷକୁ ନଷ୍ଟ କରିବା ପାଇଁ ପୋଲିସ ଅଭିଯାନ ଆରମ୍ଭ କରିଛି । ବିଗତ ୨୪ ଦିନରେ ୨୩୭୫ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ପୋଲିସ ନଷ୍ଟ କରିଛି । ୨୮ଲକ୍ଷରୁ ଅଧିକ ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ବୋଲି ପ୍ରେସମିଟ୍ କରି ପୋଲିସ ସୂଚନା ଦେଇଛି । ଏହା ବ୍ୟତିତ ଯେଉଁମାନେ ଗଞ୍ଜେଇ ଚାଷ କରୁଛନ୍ତି ତାଙ୍କ ଉପରେ ପୋଲିସର କଡା ନଜର ରହିଛି । ଏବେ ସୁଦ୍ଧା ୫୦ରୁ ଅଧିକ ଗଞ୍ଜେଇ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିସାରିଛି ।