କନକ ବ୍ୟୁରୋ: ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ । ୨୦୨୫ ବୋର୍ଡ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ- ସିବିଏସଇ ଏନେଇ ବିଜ୍ଞପ୍ତି ଜାରି କରିଛି  । 

Advertisment

ବୋର୍ଡ ଗାଇଡଲାଇନ ଅନୁସାରେ , ଛାତ୍ରଛାତ୍ରୀ ବିଦ୍ୟାଳୟରେ ୭୫ ପ୍ରତିଶତ ଉପସ୍ଥାନ ଥିଲେ ହିଁ ପରୀକ୍ଷା ପାଇଁ ଯୋଗ୍ୟ ହେବେ । ସମସ୍ତ ସିବିଏସଇ ଅନୁବନ୍ଧିତ ସ୍କୁଲ ପ୍ରିନ୍ସିପାଲମାନଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ ଏହାର ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଉପରେ ଧ୍ୟାନ ଦେବାକୁ କହିଛନ୍ତି । ଫେବୃୟାରୀ ୧୫ରୁ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ଯେଉଁମାନେ ଉପସ୍ଥାନ ତଥା ଅନ୍ୟାନ୍ୟ ଦୃଷ୍ଟିରୁ ଯୋଗ୍ୟ ବିବେଚିତ ହେବେ କେବଳ ସେହିମାନଙ୍କ ପାଖକୁ ଆଡମିଟ୍‌ କାର୍ଡ ପଠାଯିବ । ଏନେଇ ଜାନୁୟାରୀ ୭ ପୂର୍ବରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ଯଦି କୌଣସି ପିଲାଙ୍କର ଉପସ୍ଥାନ କମ୍‌ ହୋଇଥାଏ, ତେବେ ସେମାନେ ଏହାର ଉପଯୁକ୍ତ କାରଣ ଦସ୍ତାବିଜ ସହ ଜାନୁୟାରୀ ୭ ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ଏହି ସମୟସୀମା ପରେ କୌଣସି ଆବେଦନକୁ ବିଚାରକୁ ନିଆଯିବ ନାହିଁ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଉଭୟ ଥିଓରୀ ଏବଂ ପ୍ରାକ୍ଟିକାଲ ପରୀକ୍ଷାରେ ପାସ୍‌ କରିବାକୁ ହେବ। ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଏହି ନିର୍ଦ୍ଦେଶନାମାର ଦୃଢ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବାକୁ କୁହଯାଇଛି । ଏଥି ସହିତ ଅଭିଭାବକମାନଙ୍କୁ ଏନେଇ ଅବଗତ କରିବା ନେଇ ମଧ୍ୟ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।