କନକ ବ୍ୟରୋ: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ ଅଟକ । ବିଶାଳଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ମହାସମୁଦ ଜିଲ୍ଲା ଅନ୍ତର୍ଗତ ସରେଇପାଲି ଥାନା ପୁଲିସ ବିଶାଳଙ୍କୁ ଅଟକ ରଖିଛି । ଗତକାଲି ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି । ବିଶାଳଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଟକ ରହିଥିବା ଜଣାଯାଇଛି । ତେବେ ଏପରି ଗଣତନ୍ତ୍ର ଚଳିବ ନାହିଁ, ତୁରନ୍ତ ଆମ ମୁକୁଳିବା ବ୍ୟବସ୍ଥା କର ବୋଲି କହି ସେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି।
ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି । ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ । ପୁଲିସର କାର୍ୟ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଳ ଦାସ। ତେବେ ତାଙ୍କୁ କାହିଁକି ଅଟକ ରଖାଯାଇଛି, ସରେଇପାଲି ଥାନା ପୁଲିସର ପ୍ରତିକ୍ରିୟା ମିଳିନି । ସେପଟେ ଭାଇଙ୍କୁ ଅଟକ ରଖିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଭଉଣୀ ଦୀପାଳି ଦାସ । ଏହା ଗଣତନ୍ତ୍ରର ହତ୍ୟା ଏବଂ ରାଜ୍ୟରେ ଡାର୍ଟି ପଲିଟିକ୍ସ ଚାଲିଛି ବୋଲି କହିଛନ୍ତି ଦୀପାଳି।