କନକ ବ୍ୟୁରୋ: ଶୃଙ୍ଖଳିତ ହେବ ଶ୍ରୀମନ୍ଦିରର ଆନନ୍ଦବଜାର । ସୁପକାର ଓ ଅଣ-ସୂପକାରଙ୍କ ଉପରେ ନଜର ରଖିବେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ । ଶୃଙ୍ଖଳା ଓ ସୁରକ୍ଷା ପାଇଁ ୨୦ ଜଣ ଦକ୍ଷ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମିଳିବ ନିଯୁକ୍ତି । ଏକ ଘରୋଇ ଆଉଟସୋର୍ସିଂ ସଂସ୍ଥା ଜରିଆରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର କାର୍ୟ୍ୟାଳୟ । ପ୍ରାୟ ୬୦ ଜଣ ସେନାନିବୃତ କର୍ମଚାରୀ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ନିକଟରେ ସାକ୍ଷାତକାର ଦେଇଛନ୍ତି । ଅଗଷ୍ଟ ୩୦ ସୁଦ୍ଧା ନିଯୁକ୍ତି ସାରିବାକୁ ସମୟ ଧାର୍ୟ୍ୟ କରାଯାଇଛି । 

ଆନନ୍ଦବଜାରରେ ବନ୍ଦ ହେବ ବାସି ଅବଢ଼ା । ମହାପ୍ରସାଦ ବିକି ପାରିବେନି ଅଣ-ସୂପକାର । ସେପ୍ଟେମ୍ବର ପହିଲାରୁ ଆନନ୍ଦବଜାରରେ ମୁତୟନ ହେବେ ଏହି ସ୍ୱତନ୍ତ୍ର ସୁରକ୍ଷାକର୍ମୀ । ଏହାପରଠୁ ଆନନ୍ଦବଜାରରେ ବାସୀ ଅବଢ଼ା ବିକ୍ରି ଉପରେ ରୋକ ଲାଗିବ । ଅଣ ସୂପକାରମାନେ ପ୍ରସାଦ ବିକ୍ରି କରିପାରିବେ ନାହିଁ । କେବଳ ସୁଆର ମହାସୁଆର ନିଯୋଗ ତରଫରୁ ସୂଚୀତ ସୂପକାରମାନେ ହିଁ ମହାପ୍ରସାଦ ପାଇଁ ଅଧିକୃତ ରହିବେ । ଭକ୍ତଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣ ସଠିକ୍ ରହିବା ଦିଗରେ ଗୁରୁତ୍ୱ ରହିବ । ଆନନ୍ଦ ବଜାରରେ ନିର୍ଦ୍ଦିଷ୍ଟ ଚିହ୍ନଟ ସ୍ଥାନ ଛଡ଼ା ଅନ୍ୟସ୍ଥାନରେ ମହାପ୍ରସାଦ ଓ ଅନ୍ୟ ଭୋଗ ବିକ୍ରି ବାରଣ ରହିବ । 
 
ଆନନ୍ଦବଜାରରେ କେବଳ ମହାପ୍ରଭୁଙ୍କ ଭୋଗ ହେଇଥିବା ଦ୍ରବ୍ୟ ବ୍ୟତୀତ ଅନ୍ୟ ଖାଦ୍ୟ ପ୍ରଦାର୍ଥ ବିକ୍ରି ହୋଇ ପାରିବ ନାହିଁ । ଆବଶ୍ୟକ ହେଲେ ସୂପକାରଙ୍କୁ ପରିଚୟ ପତ୍ର ପ୍ରଦାନ କରିବେ ଶ୍ରୀମନ୍ଦିର ପ୍ରଶାସନ ।