କନକ ବ୍ୟୁରୋ: ସୈତାନ ପାଲଟୁଛି ମଣିଷ । ରକ୍ତର ସମ୍ପର୍କରେ ଦେଉଛି ବିଷ । କେଉଁଠି ପିଶାଚୀ ମାଆ ନିଜ ପୁଅକୁ କୂଅକୁ ଫିଙ୍ଗିଲାଣି ତ କେଉଁଠି ବାପାର ଛୁରାମାଡରେ ଝିଅର ଜୀବନ ଚାଲିଗଲାଣି । ପୁଣି ଆଉ କେଉଁଠି ଅମାନୁଷିକ ସ୍ୱାମୀ ସ୍ତ୍ରୀ ପୁତୁରାକୁ ହାଣି ପକେଇଲାଣି... ରାତି ପାହିବା ପରଠୁ ଖାଲି ହଣା, କଟା, ରକ୍ତାକ୍ତର ଖବର । ପବିତ୍ର ଲକ୍ଷ୍ମୀ ପୂଜାଟାରେ ବି ସାରା ରାଜ୍ୟରୁ ଆସୁଛି ଲୋମଟାଙ୍କୁରା ଏବଂ ବୀଭତ୍ସ ଖବର ।

Advertisment

ଚିତ୍ରକୋଣ୍ଡାରେ ବାପାର ଛୁରାମାଡରେ ଚାଲିଗଲା ୬ ବର୍ଷ ଝିଅର ଜୀବନ । ଚିତ୍ରକୋଣ୍ଡା ଆରଏସି-୧୪ ଗାଁରେ ଏହି ଲୋମଟାଙ୍କୁରା ଘଟଣା ଘଟିଥିବା ବେଳେ ଝିଅକୁ ମାରି ଅଭିଯୁକ୍ତ ବାପା ଫେରାର ଅଛି । ଶିଶୁ କନ୍ୟାର ମୃତଦେହ ପୋଲିସ ଜବତ କରିଥିବା ବେଳେ ଅଭିଯୁକ୍ତକୁ ଧରିବାକୁ ପୋଲିସ ଛାନଭିନ ଜାରି ରଖିଛି ।

ସେପଟେ ରାଉରକେଲାରୁ ଆସିଛି ଆଉ ଏକ ଅମାନବୀୟକାଣ୍ଡ । ପୁଅକୁ ମାରିଦେଲା ସାବତ ମାଆ । ୫ ବର୍ଷର ପୂଅକୁ କୂଅରେ ପକାଇ ହତ୍ୟା କରିଛି ପିଶାଚୀ ମାଆ । ପୁଅକୁ ପଥରରେ ବାନ୍ଧି କୂଅକୁ ଫିଙ୍ଗିଲା ହତ୍ୟା କରିବା ପରେ ନିଖୋଜ ଦର୍ଶାଇଥିଲା ସାବତ ମାଆ ।

ଖାଲି ଏହି ଦୁଇଟି ଘଟଣା ନୁହେଁ ପୁରୀ ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁରେ ବି ଅଭାବନୀୟ ଘଟଣା ଘଟିଛି । ଶ୍ୱଶୁର ଘରେ ସ୍ତ୍ରୀ ଓ ୬ ମାସର ଶିଶୁକୁ ହାଣିଲା ଜ୍ୱାଇଁ। ଆକ୍ରମଣରେ ୬ ମାସର ପୁଅର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅଛନ୍ତି । 

ତେବେ ଅଭିଯୁକ୍ତ ସ୍ୱାମୀ ଖୋର୍ଦ୍ଧା କଳାପଦର ଗାଁର ଗୁଣ୍ଡିଚା ପ୍ରଧାନ ଓରଫ କାଳୁ । ଦୀର୍ଘ ଦିନ ହେବ ଶ୍ୱଶୁର ଘରେ ଘର ଜ୍ୱାଇଁ ହୋଇ ରହି ଆସୁଥିଲା। ଆଜି ସକାଳୁ ପାରିବାରିକ କଳହକୁ ନେଇ ଉତ୍ୟକ୍ତ ହୋଇ ନିଜ ସ୍ତ୍ରୀ ଓ ପୁତୁରାକୁ କଟୁରୀରେ ଆକ୍ରମଣ କରିଥିଲା କାଳୁ । ସ୍ତ୍ରୀର ଚିତ୍କାର ଶୁଣି ଗାଁ ଲୋକେ ପହଞ୍ଚି କାଳୁକୁ ବାନ୍ଧି ପକାଇଥିଲେ। ସ୍ତ୍ରୀ ଓ ପୁତୁରାକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ୬ ମାସର ପୁଅର ମୃତ୍ୟୁ ହୋଇଥିବା ଜଣାପଡିଛି । କାଳୁକୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ତେବେ ବୁଧବାରର ବୀଭତ୍ସକାଣ୍ଡକୁ ଦେଖିଲେ ଗୋଟିଏ କଥା କହିହେବ ଯେ, ସତରେ ମଣିଷ ଧିରେଧିରେ ପାଲଟିଯାଉଛି ରାକ୍ଷସ ।