କନକ ବ୍ୟୁରୋ : ପାନ ବିଡ଼ି ନୁହେଁ ଛୋଟିଆ ନିଶା ଜଣାପଡ଼େନାହିଁ ଟାଣେ ପଇସା । ମାତ୍ରାଧିକ ନିଶା ସେବନ ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ଏହା ଜାଣିବା ପରେ ବି ଯୁବପିଢ଼ି ଏହାକୁ ଛାଡ଼ିବାକୁ ନାରାଜ । ଆଉ ଏହି ସବୁ ନିଶା ମଣିଷକୁ ମୃତ୍ୟୁ ମୁଖକୁ ଟାଣିନେଇ ଥାଏ । କୋରାପୁଟ ଜିଲ୍ଲାରେ ଦେଶୀମଦରୁ ଆରମ୍ଭ ହୋଇଥିବା ନିଶା ଏବେ ଇଞ୍ଜେକ୍ସନରେ ପରିଣତ ହେଲାଣି । ଏଥିରେ କେବେ ଲାଗିବ ଲଗାମ, ପ୍ରଶ୍ନ କଲେଣି ବୁଦ୍ଧିଜୀବୀ ।
ନିଶା ଜାଳିଦିଏ ଯୁବାବସ୍ଥା
ସମସ୍ତେ ଜାଣନ୍ତି ନିଶା ଶରୀର ପାଇଁ ହାନିକାରକ, ତଥାପି କୁ-ସଙ୍ଗରେ ପଡ଼ି ସେବନ କରିଥାନ୍ତି । ନିଶାଡ଼ିଙ୍କ ତାଲିକାର ଆଗରେ ରହିଛନ୍ତି ଯୁବପିଢ଼ି । ଆଦିବାସୀ ବହୁଳ କୋରାପୁଟରେ ଦେଶି ମଦର ଚାହିଦା ଅଧିକା ରହିଥିଲା, ପରେ ଆସିଲା ବିହାରି ମଦ, ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ କାରବାର ବଢ଼ି ଯାଇଛି । ଏବେ ମୁଣ୍ଡ ଟେକିଛି ନିଶା ଇଞ୍ଜେକସନ୍ । ଜଙ୍ଗଲ ଭିତରେ ହେଉ କି ଗାଁ ଗହଳି ବା ସହରର ରାସ୍ତାକଡ଼ ସବୁଠି ବେଆଇନ୍ ନିଶା କାରବାର ଚାଲିଥିବା ଅଭିଯୋଗ ହୋଇଛି ।
ବେଆଇନ୍ ନିଶା କାରବାର କେବେ ପୁଲିସ ହାବୁଡ଼ରେ ତ ଆଉ କେବେ ଅବକାରୀ ବିଭାଗ ହାତରେ ଲାଗୁଛି । ଡ୍ରମ୍ଡ୍ରମ୍ ମଦ ପୋଚକୁ ଢ଼ଳାଯାଉଛି । ଗଞ୍ଜେଇ ସହ ମାଫିଆ ମଧ୍ୟ ଧରା ପଡୁଛନ୍ତି । କିନ୍ତୁ ଯେଉଁ ପରିମାଣରେ ନିଶା କାରବାର ହେଉଛି, ସେତେ ଦୂର ପହଞ୍ଚି ପାରୁନାହିଁ ପୁଲିସ । ତଥାପି ନିଶାଡ଼ିଙ୍କୁ ସାବାଡ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି ପୁଲିସ ।