କନକବ୍ୟୁରୋ : ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ସମସ୍ତେ ଚଳଚଞ୍ଚଳ । ଭକ୍ତିମୟ ପରିବେଶ ଭିତରେ ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଜଗତର ନାଥ ଜଗନ୍ନାଥ ଧୀରେ ଧୀରେ ସ୍ନାନବେଦି ଆଡକୁ ମାଡିଆସୁଛନ୍ତି । ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦିରେ ବିଜେ କଲେଣି ବଡ଼ବାଡ଼ଗ୍ରାହୀ ଶ୍ରୀବଳଭଦ୍ର । ତାଙ୍କ ପୂର୍ବରୁ ବିଜେ କରିଛନ୍ତି ଚକ୍ରରାଜ ସୁଦର୍ଶନ । ବଡ଼ଭାଇଙ୍କ ପରେ ଆସି ବିଜେ କରିସାରିଛନ୍ତି ମା’ ସୁଭଦ୍ରା । ଏବେ ପହଣ୍ଡି କରି ଆସୁଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ ଶ୍ରୀ ଜଗନ୍ନାଥ । ପ୍ରଚଣ୍ଡ ଗରମ , ଗୁଳୁଗୁଳି ଭିତରେ ଆଜି ପ୍ରାଣପ୍ରିୟ ଠାକୁର ଗାଧୋଇବେ । ଦେହକୁ ଶୀତଳ କରିବେ । ଏଥିପାଇଁ ସମସ୍ତେ ଚଳଚଞ୍ଚଳ । ସଂସାର କଥା ଭାବିବାକୁ କାହାରି ପାଖରେ ତର ନାହିଁ ।
ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହେଉଛି ପୂରା ପରିବେଶ । କାହା କଥା କିଏ ଶୁଣୁଛି ,କାହା କଥା କିଏ ଭାବୁଛି । ସମସ୍ତଙ୍କ ମନ, ଆଖି ସେଇ ଠାକୁରଙ୍କ ଉପରେ । ବଡଦାଣ୍ଡରେ ଥାଟ୍ଟ ମାରି ରୁଣ୍ଡ ହୋଇଛନ୍ତି ଭକ୍ତ । ସମସ୍ତଙ୍କ ମନରେ ଗୋଟିଏ ଚେତନା; ଶ୍ରୀଜଗନ୍ନାଥ ଚେତନା, ବିଭୂ ଚେତନା । ଆଜି ମସସ୍ତେ ଏକାକାର ନିଜ ପ୍ରିୟ ମହାପ୍ରଭୁଙ୍କ ଭାବନାରେ । ସେ ଜଗତର ନାଥ ଜଗନ୍ନାଥଙ୍କ ଗାଧୁଆ ଆଜି ସମସ୍ତେ ଦେଖିବେ । ତା ଲୀଳା ତ ଦୁନିଆ ଦେଖେ ସବୁ ଜାଣିଥାଏ କିନ୍ତୁ କିଛି ନଜାଣିବା ପରି ଅଭିନୟ ମଧ୍ୟ କରିବା ତାକୁ ବେଶ ଭଲ ଭାବେ ଜଣା । ସେଥିପାଇଁ ତ ସେ ଭକ୍ତର ଅଭିମାନ ବୁଝେ ଭାବ ବୁଝେ କିନ୍ତୁ କେବେ ସେ ଅହଙ୍କାର ସହେନାହିଁ ।
/kanak/media/media_files/2025/06/11/qXy3FftfS72srFBFngjZ.png)
ତା ଦୁଆରେ ଆଜି ଧନୀ ଗରିବ ସମସ୍ତେ ସମାନ ,ଆଜି ତା ପାଖରେ ନା ଅଛି କୌଣସି ଜାତିର ବିଚାର ନା ଧର୍ମର ବିଚାର ସମସ୍ତେ ଆଜି ତା ପାଇଁ ସମାନ । ରତ୍ନବେଦିରୁ ସେ ଆସି ସ୍ନାନବେଦିରେ ସମସ୍ତେ ଦେଖିବେ ତା ଗାଧୁଆକୁ ବର୍ଷକ ଥରେ ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ । ସୁନା କୂଅରୁ ମହାପ୍ରଭୁଙ୍କ ପାଇଁ ଯାଉଛି ଜଳ । ସ୍ନାନଲୀଳାରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହୋଇଅଛି । ହାତୀ ପରି ଢଳି ଢଳି ଆସୁଥିଲା କାଳିଆ । ତୋ ଦରଶନରେ ଆଜି ସବୁକିଛି ମିଳିଯିବ , ଆଜି ଆଉ କିଛି ଭାବିବାର ନାହିଁ । ଆଜି ତ କେବଳ ଗୋଟିଏ ଭାବନା, ମହାପ୍ରଭୁଙ୍କୁ ପାଖରେ ପାଇ ଆଉ କି ଚିନ୍ତା ମୁଣ୍ଡରେ ଅଛି ଯେ? ସେଥିପାଇଁ ତ ତା ପାଖକୁ ଭିଡ଼ି ହୋଇ ଆସିଛନ୍ତି ଭକ୍ତ । ଗୋଟିଏ ସମ୍ବତ୍ସର ପରେ ପୁଣି ଏ ଭାଗ୍ୟରେ ତୁମକୁ ଏପରି ଭାବରେ ଦେଖିବାକୁ ଭାଗ୍ୟ ଦେଇଛ ।
ମୋ ନୟନ ପଥରେ ଆରୂଢ଼ ହୋଇ ତୁମ ଭାବାବେଗରେ ମୋତେ ଆବିଷ୍ଟ କରିଛ ପ୍ରଭୁ ! ଏ ରୂପକୁ ଦେଖିବାକୁ ଯେଉଁ ବାଞ୍ଛା କରିଥିଲି ସେ ବାଞ୍ଛାକୁ ଆଜି ପରିପୂର୍ଣ୍ଣ କରିଛ ମହାପ୍ରଭୁ ! ତୁମ ଚକା ଆଖିକୁ ଦେଖିବା ପରେ, ତୁମ ଦୁଇ ଚନ୍ଦ୍ର, ସୂର୍ଯ୍ୟ ନୟନକୁ ଦେଖିବା ପରେ ମୁଁ ଏ ଜଞ୍ଜାଳ କଥା ଭୁଲିଯାଉଛି । ମହାପ୍ରଭୁଙ୍କ ଦେଖିବା ପରେ ଆଜି ଭକ୍ତର ହୃଦୟ ବିଗଳିତ ହେଉଛି । ଆଖିରୁ ଝରୁଛି ଧାର ଧାର ଅଶ୍ରୁ । ସେ ଅଶ୍ରୁ ଆଜି ସୁବାସିତ ଜଳ ପୂର୍ବରୁ ଧୋଇ ଦେଉଛି ମହାପ୍ରଭୁଙ୍କ ଶ୍ରୀପାଦପଦ୍ମକୁ ଯେପରି । ଯେଉଁ ଚିତ୍ତ ସଂସାର ଦୁଃଖ ସୁଖ ଭିତରେ ଘାଣ୍ଟି ହୋଇ ଅସ୍ଥିର ହୋଇପଡୁଥିଲା ଆଜି ସେ ଚିତ୍ତ ତୁମକୁ ଦେଖିଲା ପରେ ଭିନ୍ନ ଏକ ଭାବରେ ଅସ୍ଥିର ହୋଇଉଠୁଛି, ବ୍ୟାକୁଳ ହୋଇଉଠୁଛି । ଏ ଅସ୍ଥିରତା, ବ୍ୟାକୁଳ ଭାବ ପୂର୍ଣ୍ଣତା ଆଡ଼କୁ । ଏ ହେଉଛି ଚିର ଇସ୍ପିତ ଦିଅଁଙ୍କ ପାଖରେ ଭକ୍ତର ଆତ୍ମ ନିବେଦନ, ଭାବନା, ପ୍ରାର୍ଥନା ।
ଏଥିସହ ଆଜି ବିଭିନ୍ନ ଉପଚାର ବିଧି ସ୍ନାନବେଦିରେ କରାଯିବ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନପରି ଶ୍ରୀମନ୍ଦିରରେ କବାଟଫିଟା, ପାହାନ୍ତିଆ ଅବକାଶ, ଗୋପାଳବଲ୍ଲଭ,ସକାଳଧୂପ, ଦ୍ୱିପ୍ରହରଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ୱଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି l ପ୍ରଭୁଙ୍କର ସେନାପଟା ଓ ବାହୁଟିନାଗି ହୁଏ । ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ ।
/kanak/media/media_files/2025/06/11/qBq4tx51QHpIv3n2tjLn.jpg)
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ (ବ୍ରାହ୍ମଣ ଗୋଷ୍ଠୀର ସେବକ) ବିଜେ କରାଇଥାନ୍ତି । ପହଣ୍ଡି ବିଜେ ସମୟରେ ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି । ଏହି ସାତପାହଚ ଉପରେ ଟାହ୍ୟାନାଗି ହେବାପରେ ଦ୍ୱିତୀୟ ମଙ୍ଗଳାର୍ପଣ ହୁଏ ।
ତା ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ନାଗି କରାଯାଏ । ତା ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି l ସୁଆର ବଡୁ ଅମ୍ଭୂଣିଆ ପାଣି ଛିଞ୍ଚନ୍ତି l ଗରାବଡୁ ସୁବର୍ଣ୍ଣକଳସ ଧରି ଶିତଳାଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷତମାମ ଅପବ୍ୟବହୃତ ହୋଇ ରହିଥିବା ସ୍ୱର୍ଣ୍ଣକୂପରୁ ଜଳ ଆଣନ୍ତି ।
ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ପରେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ । କୂଅର ବ୍ୟବହାର ବର୍ଷସାରା ନଥବାରୁ ଜନପଦୀୟ ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି ଗ୍ରହଣ କରାଯାଏ । ସ୍ନାନବେଦିରେ ବୈଦିକ ବିଧିରେ ସ୍ନାନ ଜଳ ଅଭିମନ୍ତ୍ରିତ ହେଉଥବା ବେଳେ ସ୍ଥାନ କାଳରେ ତାନ୍ତ୍ରିକ ବିଧିରେ ତେରଟି ପଦାର୍ଥ ମିଶ୍ରଣ କରାଯାଏ । ଯଜ୍ଞ ପରମ୍ପରାରେ ଏହି କୂଅକୁ ‘ପ୍ରଣୀତାକୂପ' ବୋଲି କୁହାଯାଏ ।
ପ୍ରାଚୀନ କାଳରେ ମଧ୍ୟ ଓଡ଼ିଶାରେ ଛୁଆଟିଏ ଜନ୍ମ ହେଲେ ତାହାକୁ ଅଣତୁଠ ପାଣି ମିଶ୍ରଣ କରାଯାଇ ସ୍ନାନ କରିବାର ପରମ୍ପରା ରହିଥଲା । ଏହାଦ୍ୱାରା ଦୁଷ୍ଟ ଶକ୍ତିଙ୍କ ପ୍ରଭାବ କଅଁଳା ପିଲାଙ୍କ ଉପରେ ପଡ଼େନାହିଁ । ଅଭିମନ୍ତ୍ରିତ ହୋଇଥିବା ଜଳରେ ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରତ କରାଯାଏ । ଏହି ମହୌଷଧି ମିଶ୍ରଣ କରାଯିବା ପରେ ଜଳକୁ ଅଭିମନ୍ତ୍ରିତ କରାଯାଏ ।
ସେହି ଗନ୍ଧଯୁକ୍ତ ଅଭିମନ୍ତ୍ରିତ ଜଳରେ ଦାରୁବ୍ରହଙ୍କୁ ଶ୍ରୀଜୀଉମାନଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ l ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ । ଏହାକୁ "ପ୍ରତ୍ୟେକ୍ଷ ଅବକାଶ" କହନ୍ତି । ପ୍ରଭୁଙ୍କୁ ଏହି ଦିନ ଗଜାନନ ବେଶ କରାଯାଏ । ଏହି ଦିନ ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ । ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ସୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ଏହି ଦିନ ତିନି ଧୂପ ବଦଳରେ ଗୋଟିଏ ଧୂପ ଦିଆଯାଏ ।
ତାପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି । ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେ କରିବାପରେ ତାଟି ବନ୍ଧାଯାଏ ଓ ପଟିମୂର୍ତି ସ୍ଥାପନା କରାଯାଏ । ତାପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦିର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି । ଏହାକୁ ଅଣସର କୁହାଯାଏ । ଏହି ୧୫ ଦିନ ଭକ୍ତମାନେ ଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ । ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି ।