କନକ ବ୍ୟୁରୋ: ଏବେ ଆମ ଚାରିପଟେ ପ୍ଲାଷ୍ଟିକ୍ ମହଜୁଦ୍ ରହୁଛି । ସମୁଦ୍ରଠାରୁ ଆରମ୍ଭ କରି ମାଟି, ପାଣି , ପବନ ଏପରିକି ଆମେ ଖାଉଥିବା ଖାଦ୍ୟ, ସବୁଠି ପ୍ଲାଷ୍ଟିକ୍ ଉପାଦାନ ରହିଛି । କିନ୍ତୁ ଅନେକ ଜାଣନ୍ତିନି ଯେ ଆମେ ପ୍ରଶ୍ବାସରେ ବି ଶରୀର ଭିତରକୁ ପ୍ଲାଷ୍ଟିକ୍ ନେଉଛୁ । ଫ୍ରାନ୍ସର ଏକ ମେଡିକାଲ ଇନଷ୍ଟିଚ୍ୟୁଟ୍ ଅଧ୍ୟୟନ କରି ଏହା ସ୍ପଷ୍ଟ କରିଛି । ତଥ୍ୟ ମୁତାବକ, ପାଖାପାଖି ୧୦ ହଜାର ସୂକ୍ଷ୍ମ ପ୍ଲାଷ୍ଟିକ୍ କଣିକା ଆମେ ଆମ ପ୍ରଶ୍ବାସରେ ଗ୍ରହଣ କରୁଛେ । କିନ୍ତୁ ଏଥିପ୍ରତି ଆମେ ସଚେତନ ନାହାନ୍ତି ।

Advertisment

ପ୍ଲାଷ୍ଟିକର ସୂକ୍ଷ୍ମାଦିସୂକ୍ଷ୍ମ କଣିକାଗୁଡ଼ିକୁ ମାଇକ୍ରୋପ୍ଲାଷ୍ଟିକ୍ କୁହାଯାଏ । ଏହା ଏତେ କ୍ଷୁଦ୍ର ଯେ, ଏହା ଖାଲି ଆଖିକୁ ଦେଖାଯାଏନାହିଁ କିନ୍ତୁ ଆମ ଅଜାଣତରେ ଆମ ଫୁସଫୁସରେ ଶରୀର ଭିତରକୁ ଯାଉଛି । ଫ୍ରାନ୍ସ ଟୁଲୁଜ୍ ବିଶ୍ବବିଦ୍ୟାଳୟର ରିସର୍ଚ୍ଚରଙ୍କ ଅଧ୍ୟୟନ ମୁତାବକ, ଆମ ବାୟୁମଣ୍ଡଳରେ ପ୍ଲାଷ୍ଟିକ୍ ଘୁରିବୁଲୁଛି । ଏହା ସ୍ପଷ୍ଟ କରିବାକୁ ଅଧ୍ୟନକାରୀମାନେ ନିଜ ଘର ଓ କାର ଭିତରେ ବାୟୁକୁ ଯାଞ୍ଚ କଲେ । ସେମାନେ ବିଭିନ୍ନ ସ୍ଥାନରୁ ବାୟୁର ନମୂନା ସଂଗ୍ରହ କଲେ । ଯେଉଁ ତଥ୍ୟ ପାଇଲେ ତାହା ଆଶ୍ଚର୍ଯ୍ୟ କଲାଭଳି । ଘର ଭିତରେ ବାୟୁରେ ପ୍ରତି କ୍ୟୁବିକ୍ ମିଟରରେ ପ୍ରାୟ ୫୨୮ ମାଇକ୍ରୋପ୍ଲାଷ୍ଟିକ୍ ଥିଲା । କାର ଭିତର ବାୟୁରେ ତାଠୁ ଅଧିକ ଅର୍ଥାତ ପ୍ରତି କ୍ୟୁବିକ୍ ମିଟରରେ ୨ ହଜାରରୁ ମାଇକ୍ରୋ ପ୍ଲାଷ୍ଟିକ୍ ଥିଲା ।

ସବୁଠୁ ବିପଜ୍ଜନକ କଥା ହେଉଛି , ଏହି ପ୍ଲାଷ୍ଟିକ କଣିକାର ୯୪ ପ୍ରତିଶତର ଆକାର ୧୦ ମାଇକ୍ରୋମିଟର ଠାରୁ ବି ଛୋଟ ଥିଲା । ଏତେ ସୂକ୍ଷ୍ମ ଯେ, ଏଗୁଡ଼ିକ ଫୁସଫୁସ୍ ଭିରତକୁ ଯାଇପାରିବେ ଏପରିକି ରକ୍ତ ପ୍ରବାହରେ ମଧ୍ୟ ମିଶିପାରିବ । ଫଳରେ ଶରୀରକୁ ଘାତକ ରୋଗ ଆକ୍ରମଣ କରିବ ।