କନକବ୍ୟୁରୋ : ଆଉ ନାହାନ୍ତି ଓଡ଼ିଆ ସିନେ ଜଗତର ସବୁଠାରୁ ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି। ମାତ୍ର ୬୭ ବୟସରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଏହି ଏଭରଗ୍ରୀନ ଷ୍ଟାର। ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍ସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଲିଭର ସିରୋସିସ୍ ସହ ନିମୋନିଆର ଚିକିତ୍ସା ଚାଲିଥିଲା ।
ସାରା ରାଜ୍ୟରେ ଶହଶହ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଥିଲେ । ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚିରବିଦାୟ ନେଇଛନ୍ତି ଉତ୍ତମ । ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପୁଅ ତଥା ଅଭିନେତା ବାବୁସାନଙ୍କ ସହିତ କଥା ହୋଇ ସମବେଦନା ଜଣାଇଛନ୍ତି l କହିଛନ୍ତି, ସ୍ବର୍ଗତ ଅଭିନେତାଙ୍କ ସହିତ ଅତ୍ୟନ୍ତ ଭଲ ସମ୍ପର୍କ ଥିଲା ଏବଂ ତାଙ୍କ ଅନେକ ସିନେମା ତାଙ୍କୁ ପ୍ରଭାବିତ କରିଛି l ତାଙ୍କ ମରଶରୀର ଦିଲ୍ଲୀରୁ ଭୁବନେଶ୍ୱର ଆସିବା ଦିଗରେ ସମସ୍ତ ସହଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ l ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ମୁଖମନ୍ତ୍ରୀ ବାବୁସାନଙ୍କୁ କହିଥିଲେ l ତାଙ୍କର ପରଲୋକରେ ଓଲିଉଡ୍ରେ ଏକ ଯୁଗର ଅବସାନ ଘଟିଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଏବେ ଆସନ୍ତୁ ଜାଣିବା ତାଙ୍କ ଜୀବନୀ କାହାଣୀ ବିଷୟ ରେ
ଉତ୍ତମ ମହାନ୍ତିଙ୍କ ଜୀବନୀ
୧୯୫୮ ଡିସେମ୍ବର ୨୩ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମ
ବାରିପଦା ଏମ୍କେସି ଉଚ୍ଚବିଦ୍ୟାଳୟରୁ ସ୍କୁଲ ପାଠ୍ୟକ୍ରମ
ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ବିଜ୍ଞାନରେ ପଢ଼ିଥିଲେ
କଲେଜ ସମୟରେ ମଞ୍ଚ ନାଟକରେ ନିଜର ଅଭିନୟ ଦକ୍ଷତା ଦେଖାଇଥିଲେ
ବ୍ୟାଡ୍ମିଣ୍ଟନ ଓ ଟେବୁଲ ଟେନିସ ଖେଳିବାରେ ଥିଲା ଆଗ୍ରହ
ଚାଡାର୍ଟ ଆକାଉଣ୍ଟ ପଢ଼ିବା ପାଇଁ ଲୁଧିଆନା ଚାଲିଆସିଥିଲେ
ବଡ଼ ଭାଇ ସ୍ବର୍ଗତ ଅରୁଣ ମହାନ୍ତିଙ୍କ ପାଖରେ କୋଲକାତାରେ ପାଠପଢ଼ା ଜାରି ରଖିଥିଲେ
୧୯୭୬ରେ ନିର୍ଦ୍ଦେଶକ ସାଧୁ ମେହେର ‘ଅଭିମାନ’ ପାଇଁ ତାଙ୍କୁ ନେଇଥିଲେ
ପରିବାର ଲୋକଙ୍କ ବିରୋଧ ସତ୍ତ୍ବେ ଭଉଣୀଙ୍କ ପାଇଁ ସୁଯୋଗ ପାଇଥିଲେ
ସୁପରହିଟ୍ ହୋଇଥିଲା ଫିଲ୍ମ ‘ଅଭିମାନ’
ପରେ ଗୋଟିଏ ପରେ ଗୋଟିଏ ଫିଲ୍ମ କରିଚାଲିଲେ
ଶତାଧିକ ଓଡ଼ିଆ ଫିଲ୍ମରେ ଅପ୍ରତିଦ୍ବନ୍ଦ୍ବୀ ନାୟକ ଭାବେ କରିଥିଲେ ଅଭିନୟ
ରୋମାଣ୍ଟିକ ନାୟକ ଭାବେ ବେଶ୍ ପରିଚିତ ଥିଲେ
ଚେହେରା, ଅଭିନୟ, ନୃତ୍ୟ, ଆକ୍ସନ୍ ସବୁଥିରେ ନିଆରାପଣ ବାରି ହୋଇପଡ଼ୁଥିଲା
ଓଡ଼ିଶାର ଘରେ ଘରେ ଅତ୍ୟନ୍ତ ଲୋକପ୍ରିୟ ହୋଇଯାଇଥିଲେ ଉତ୍ତମ
ଓଲିଉଡ୍ରେ ସୁପରଷ୍ଟାର୍ର ଆଖ୍ୟା ପାଇଥିଲେ
ବ୍ୟକ୍ତିଗତ ଜୀବନରେ ଉତ୍ତମ ଅତ୍ୟନ୍ତ ଭଦ୍ର, ଅମାୟିକ ଥିଲେ
ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ସିନେମା ଜଗତରେ ରାଜ କରିଥିଲେ
ଏବେ ଆସନ୍ତୁ ଜାଣିବା କିଛି ତାଙ୍କ ଅଭିନୀତି ଫିଲ୍ଲ ବିଷୟରେ ...
ସେ ଅନେକ ଚଳଚିତ୍ରରେ ଅଭିନୟ କରିଥିଲେ , ସେଥିମଧ୍ୟରୁ ସବୁ ଫିଲ୍ଲ ତାଙ୍କର ସୁପରହିଟ ହୋଇଥିଲା ତୀଙ୍କ ଅଭିନୟର ଯାଦୁରେ ସେ ସମସ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲେ , ସେଥିମଧ୍ୟରୁ ଜାଣିରଖନ୍ତୁ କିଛି ଫିଲ୍ଲ ବିଷୟରେ ସମ୍ୟକ ସୂଚନା
କପାଳ ଲିଖନ, ଲକ୍ଷ୍ମଣରେଖା, ଭୀଷ୍ମ ପ୍ରତିଜ୍ଞା, କନ୍ୟାଦାନ, ଦଇବ ଦଉଡ଼ି, ପୁଅ ମୋର କଳା ଠାକୁର, ପରଦେଶୀ ଚଢ଼େଇ, ଚକା ଡୋଳା କରୁଛି ଲୀଳା, ଠାକୁର ଅଛନ୍ତି ଚଉ ବାହାକୁ, ଟୋପାଏ ସିନ୍ଦୁର ଦିଟୋପା ଲୁହ, ଶାସ୍ତି, ଗୋପରେ ବଢୁଛି କଳା କହ୍ନେଇ, ନୂଆ ଭାଉଜ, ଆମ ଘର ଆମ ସଂସାର, ବିଧିର ବିଧାନ, ଅକୁହା କଥା, ବସ୍ତ୍ର ହରଣ, ମା, ନାଗ ପଞ୍ଚମୀ, ଭାଗ୍ୟ ହାତେ ଡୋରି, ପାଚେରୀ ଉଠିଲା ମଝି ଦୁଆରୁ, ରକତ କହିବ କିଏ କାହାର, ସକଳ ତୀର୍ଥ ତୋ ଚରଣେ, ଲକ୍ଷେ ଶିବ ପୁଜି ପାଇଛି ପୁଅ, ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୁର, ସହର ଜଳୁଛି, ରୁପା ଗାଁର ସୁନା କନିଆ, ମା ପରି କିଏ ହେବ, ବାଜି, ଅଗ୍ନି ପରୀକ୍ଷା, ସମୟ ଖେଳୁଛି ଚକା ଭଉଁରୀ, ସେଇ ଝିଅଟି, ଧର୍ମ ସହିଲେ ହେଲା, ମୋ କୋଳ ତୋ ଝୁଲଣା, ଓମ ଶାନ୍ତି ଓମ, କି ହେବ ଶୁଆ ପୋଷିଲେ, ସୁନା ଚଢ଼େଇ, ଫୁଲ ଚନ୍ଦନ, ଉଦଣ୍ଡି ସୀତା, ଯୋର ଯାର ମୂଲକ ତାର ଏମିତି ଆହୁରି ଅନେକ ଫିଲ୍ମ .. ୧୩୦ରୁ ଅଧିକ ଓଡ଼ିଆ ସିନେମାରେ ଦେଖାଇଥିଲେ ଯାଦୁ , ହିନ୍ଦୀ ଓ ବଙ୍ଗଳାରେ ବି ଦେଖାଇଥିଲେ ପରାକାଷ୍ଠା .....
ଏଥିସହ ସେ ବଳିଷ୍ଠ ଅଭିନୟ ପାଇଁ ବିଭିନ୍ନ ପୁରସ୍କାର ପାଇଛନ୍ତି .....
ଉତ୍ତମ ମହାନ୍ତି ନିଜ କ୍ୟାରିଅରରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ଜୟଦେବଲ ପୁରସ୍କାର (୧୯୯୯), ଶ୍ରେଷ୍ଠ ଅଭିନେତା ଭାବେ ୩ଟି ଓ ସହ ଅଭିନେତା ଭାବରେ ଗୋଟିଏ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ସେ ୧୯୯୧ ରେ ରିଲିଜ ଫିଲ୍ମ (ତୋ ବିନୁ ଅନ୍ୟଗତି ନାହିଁ) ପାଇଁ ସହ- ଅଭିନେତା ଭାବରେ ଗୋଟିଏ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।
୧୯୮୨-୮୩-୮୪ ରେ ରିଲିଜ ଫିଲ୍ମ (‘ଫୁଲ ଚନ୍ଦନ’, ‘ଝିଅଟି ସୀତା ପରି’, ‘ଦଣ୍ଡା ବାଳୁଙ୍ଗା’) ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ୩ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ୨୦୦୬ ରେ ଇନ୍ଦିରାଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଓ ୨୦୦୮ରେ ଶ୍ରେଷ୍ଠ ଅଭିନେତା ପାଇଁ ଫିଟଫାଟ ବାଇସ୍କୋପ ପୁରସ୍କାର ପାଇଛନ୍ତି ।
ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଦିନ ୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବ ପାର୍ଥିବ ଶରୀର । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।