କନକବ୍ୟୁରୋ : ଗାଁ’କୁ ରାସ୍ତାଟିଏ ନଥିବାରୁ ସାପ କାମୁଡ଼ାରେ ଗୁରୁତର ବିଧବା ମାଆକୁ ଚିକିତ୍ସା ପାଇଁ ପିଠିରେ ଭାର କରି ୮ କିଲୋମିଟର ବୋହିଛି ଝିଅ ।  ଗାଁ’କୁ ଭଲ ରାସ୍ତାଟିଏ ନଥିବାରୁ ଆମ୍ବୁଲାନ୍‌ସ ଆସିପାରି ନଥିଲା। ଯନ୍ତ୍ରଣାରେ ଛଟପଟ ମା’ର ଚିକିତ୍ସା ପାଇଁ କାଳବିଳମ୍ବ ନକରି ଝିଅ ପିଠିରେ ଲୁଗାକୁ ଦୋଳାବାନ୍ଧି ଭାର କରି ରାସ୍ତା ପାର ହୋଇ ତୁମୁଡ଼ିବନ୍ଧ ଡାକ୍ତରଖାନାରେ ପହଞ୍ଚିଥିଲା  ।  ତୁମୁଡ଼ିବନ୍ଧ ଡାକ୍ତରଖାନା ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବାଲିଗୁଡ଼ା ମେଡ଼ିକାଲ ସ୍ଥାନାନ୍ତର କରିଥିଲେ  ।  

Advertisment

ହେଲେ ଗତକାଲି ରାତିରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏଭଳି ଏକ  ଅଭାବନୀୟ ଘଟଣା କନ୍ଧମାଳଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ମୁଣ୍ଡିଗଡ଼ ପଞ୍ଚାୟତ ବଲୁମାଡୁ ଗାଁ’ରେ ଘଟିଥିବା ବେଳେ ପାଲମାଡୁ ମାଝୀ (୪୫)ଙ୍କ ନାମକ ମହିଳା ପ୍ରାଣ ହରାଇଛନ୍ତି ।   ପାଲମାଡ଼ୁ ଘର ନିକଟସ୍ଥ ବଗିଚାରେ କାମ କରୁଥିବା ସମୟରେ ଏକ ବିଷଧର ସାପ କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଡାକିଥିଲେ। କିନ୍ତୁ ଗାଁକୁ ସବୁଦିନିଆ ରାସ୍ତା ନଥିବାରୁ ଆମ୍ବୁଲାନ୍‌ସ ଆସିପାରିନଥିଲା ।

ଅସୁସ୍ଥଙ୍କୁ ଡାକ୍ତରଖାନା ପହଞ୍ଚିବାରେ ବିଳମ୍ୱ ହେଉଥିଲା । ଶେଷରେ ଝିଅ ପିଠିରେ ଭାରକରି  ତୁମୁଡ଼ିବନ୍ଧ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବାଲିଗୁଡ଼ା ମେଡ଼ିକାଲ ସ୍ଥାନାନ୍ତର କରିଥିଲେ। ହେଲେ ସେତେବେଳକୁ ବିଳମ୍ବ ହୋଇସାରିଥିଲା ।  ବାଲିଗୁଡ଼ା ଡାକ୍ତରଖାନାରେ ମହିଳା ପ୍ରାଣ ହରାଇଥିବା ବେଳେ ଏ ନେଇ ତୁମୁଡ଼ିବନ୍ଧ ଥାନାରେ କେସ ନମ୍ବର ୭/୨୫ରେ ଏକ ଅପମୃତ୍ୟୁ  ମାମଲା ରୁଜୁ ହୋଇଛି ।  ତୁମୁଡ଼ିବନ୍ଧ ପୁଲିସ ବାଲିଗୁଡ଼ାରେ ପହଞ୍ଚି ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।  ତେବେ ଭଲ ରାସ୍ତାଟିଏ ଥିଲେ ଆମ୍ବୁଲାନ୍‌ସରେ ଅସୁସ୍ଥଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚା ଯାଇପାରିଥାନ୍ତା ବୋଲି ଗ୍ରାମବାସୀ କହିଛନ୍ତି।