କନକ ବ୍ୟୁରୋ, ମାତ୍ର ଅଳ୍ପ ସମୟର ବ୍ୟବଧାନରେ ଆଜି ସିବିଏସଇର ଦ୍ବାଦଶ ଓ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇଛି । ଦ୍ବାଦଶ ଶ୍ରେଣୀରେ ଚଳିତ ବର୍ଷ ପାସ ହାର ରହିଛି ୮୮.୩୯% । ଭୁବନେଶ୍ବର ଆଞ୍ଚଳିକ କ୍ଷେତ୍ରରେ ପାସହାର ଜାତୀୟ ହାରଠାରୁ ସାମାନ୍ୟ କମ ୮୩.୬୪% ରହିଛି । ସିବିଏସଇରେ ଏଥର ବି ବାଜି ମାରିଛନ୍ତି ଝିଅ । ସମଗ୍ର ଦେଶରେ ଝିଅଙ୍କ ପାସ ହାର ୯୧.୬୪% ଏବଂ ପୁଅଙ୍କ ପାସହାର ରହିଛି ୮୫.୭୦% । ଚଳିତବର୍ଷର ପାସ ହାର  ଗତବର୍ଷ ତୁଳନାରେ ୦.୪୧ ପ୍ରତିଶତ ଅଧିକ ରହିଛି । ଏବର୍ଷ ଦେଶରେ ମୋଟ ୧୬ ଲକ୍ଷ ୯୨ ହଜାର ପରୀକ୍ଷାର୍ଥୀ ସିବିଏସଇ ଦ୍ବାଦଶ ପରୀକ୍ଷା ଦେଇଥିଲେ । ପାସ କରିଛନ୍ତି ୧୪ ଲକ୍ଷ ୯୬ ହଜାର ପରୀକ୍ଷାର୍ଥୀ । 

Advertisment

ସିବିଏସଇ ଦଶମ ଶ୍ରେଣୀରେ ଦେଶରେ ମୋଟ  ପରୀକ୍ଷାର୍ଥୀ ଥିଲେ ୨୩ ଲକ୍ଷ ୭୧ ହଜାର । ଏମାନଙ୍କ ମଧ୍ୟରୁ ଏଥର ପାସ ହୋଇଛନ୍ତି ୨୨ ଲକ୍ଷ ୨୧ ହଜାର ପରୀକ୍ଷାର୍ଥୀ । ଅର୍ଥାତ ପାସ ହାର ରହିଛି ୯୩. ୬୬% । ଭୁବନେଶ୍ବର ଆଂଚଳିକ କ୍ଷେତ୍ରରେ ପାସହାର ୯୨.୬୪% ।  ଦ୍ବାଦଶ ଶ୍ରେଣୀ ଭଳି ଦଶମ ଶ୍ରେଣୀ ଫଳାଫଳରେ  ପୁଅଙ୍କ ତୁଳନାରେ ଝିଅ ଭଲ ଫଳାଫଳ କରିଛନ୍ତି । ପରୀକ୍ଷାଫଳ ବାହାରିବା ପରେ  ଭୁବନେଶ୍ବରର ବିଭିନ୍ନ ସ୍କୁଲ ରେ ସେଲିବ୍ରିସନ ଦେଖିବାକୁ ମିଳିଥିଲା । 

ପୂର୍ବରୁ ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇସାରିଛି । ଏବେ ସିବିଏସଇର ଦ୍ବାଦଶ ଓ ଦଶମ ଶ୍ରେଣୀ ପରୀକ୍ଷା ପାଇବା ପରେ ଅପେକ୍ଷା କେବେ ବାହାରିବ ରାଜ୍ୟର ଯୁକ୍ତ ଦୁଇ ପରୀକ୍ଷାଫଳ । ସିଏଚଏସଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ରେଜଲ୍ଟ ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।